ବରଗଡ:ସହରର 4 ନମ୍ବର ୱାର୍ଡରେ ଦୀର୍ଘ ଦିନ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଛି । ପାନୀୟ ଜଳ ଯୋଗାଣ ପାଇପରେ ପାଣି ଆସୁନି । ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବି ହୋଇଥିଲେ ହେଁ କେହି କର୍ଣ୍ଣାପତ କରୁନାହାନ୍ତି । ଯେଉଁଥିପାଇଁ ଶେଷରେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ୱାର୍ଡର ଏକାଧିକ ମହିଳା । ସୋମବାର ବରଗଡ଼ ୱାର୍ଡ ନମ୍ବର 4 ତଳିପଡ଼ାର ବାସିନ୍ଦା ସହକାରୀ ନିର୍ବାହୀ ଯନ୍ତ୍ରୀ ଜନସ୍ବାସ୍ଥ୍ୟ ଉପଖଣ୍ଡଙ୍କ କାର୍ଯ୍ୟଳୟରେ ଧାରଣା ପ୍ରଦର୍ଶନ କରିଛନ୍ତି । ନିର୍ବାହୀ ଯନ୍ତ୍ରୀ ଅଫିସରେ ଉପସ୍ଥିତ ନଥିବା ବେଳେ ଯେପର୍ଯ୍ୟନ୍ତ ଜଳ ସମସ୍ୟାର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମହିଳାମାନେନେ ଅଡ଼ି ବସିଥିଲେ ।
ସୂଚନା ଅନୁସାରେ, ବରଗଡ଼ ସହରର 4ନଂ ୱାର୍ଡରେ ପାଣି ସମସ୍ୟା ଯୋଗୁଁ ବେଳେ ପଡାବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ପାନୀୟ ଜଳ ଯୋଗାଣ ପାଇପରେ ପିଇବା ପାଇଁ ପାଣି ଆସୁନି । ଏ ସମ୍ପର୍କରେ ପଡ଼ାବାସୀ ମାସ ହେଲା ଅଭିଯୋଗ କରିଆସୁଥିଲେ | ହେଲେ ବିଭାଗୀୟ ଅଧିକାରୀମାନେ ବିଭିନ୍ନ ଆଳ ଦେଖାଇ ସମସ୍ୟାର ସମାଧାନ କରୁନଥିଲେ । ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ କହି ଲୋକଙ୍କୁ ଭୁଆଁ ବୁଲାଉଥିଲେ । ଏମିତି ପ୍ରତିଶ୍ରୁତିରେ ଗ୍ରୀଷ୍ମ ଶେଷ ହୋଇ ବର୍ଷା ଆସିଲା, ମାତ୍ର ବିଭାଗୀୟ କର୍ମଚାରୀଙ୍କ ଦେଖା ମିଳିଲାନି । ବିଛା ଯାଇଥିବା ପାଇପ୍ ଲାଇନରେ କୌଣସି ତ୍ରୁଟି ରହିଥିବା ନେଇ ବିଭାଗୀୟ କର୍ମଚାରୀମାନେ କହୁଥିବାବେଳେ ଏହାର ସମାଧାନ ପାଇଁ ଆଦୌ ଗୁରୁତ୍ଵ ଦେଇନଥିଲେ ।