ବରଗଡ: ଜିଲ୍ଲାର ମୁଖ୍ୟ କେନାଲରେ ଦୁଇ ଦିନରେ ଭାସିଗଲେଣି 2 ଜଣ | ଶୁକ୍ରବାର ଜଣେ ବୃଦ୍ଧ କେନାଲ ପାଣିରେ ଭାସିଯାଇ ନିଖୋଜ ଅଛନ୍ତି। ସେହିପରି ଶନିବାର ମଧ୍ୟ ଜଣେ 22 ବର୍ଷୀୟ ଯୁବକ ମୁଖ୍ୟ କେନାଲରେ ଭାସିଯାଇଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ବରଗଡ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।
ତେବେ ଶୁକ୍ରବାର ବରଡୋଲର ମୁଖ୍ୟ କେନାଲ ଠାରେ ଜଳନ୍ଧର କଲେତ ନାମକ ୭୦ ବର୍ଷର ବୃଦ୍ଧ ଗାଧୋଉଥିବାବେଳେ କେନାଲରେ ଗୋଡ଼ ଖସିଯିବାରୁ ଭାସି ଯାଇଥିଲେ। ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପହଞ୍ଚି କେନାଲ ଭିତରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ମିଳିନଥିଲା।
କାଳ ସାଜିଛି କେନାଲ, ଦୁଇ ଦିନରେ ଭାସିଗଲେଣି 2 ଜଣ ରବିବାର ସୁଦ୍ଧା ବୃଦ୍ଧ ଜଣଙ୍କର ପତ୍ତା ମିଳିନଥିବା ବେଳେ 24 ଘଣ୍ଟା ନ ବିତୁଣୁ ଆଉ ଜଣେ ଯୁବକଙ୍କ ସେହି ସ୍ଥାନରେ ଭାସିଯିବା ଘଟଣା ଲୋକଙ୍କୁ ଭୟଭୀତ କରି ପକାଇଛି । ବରଗଡ ତଳିପଡ଼ାର ଓମପ୍ରକାଶ ଭୋଇ ନାମକ 22 ବର୍ଷର ଯୁବକ ଓମପ୍ରକାଶ ତାଙ୍କର ସମ୍ପର୍କୀୟ ଭାଇଙ୍କ ସହିତ ମୁଖ୍ୟ କେନାଲର ବରଡୋଲ ଛକ ଘାଟକୁ ଗାଧୋଇବାକୁ ଯାଇଥିଲେ ।
ତେବେ ଗାଧୋଉଥିବାବେଳେ କେନାଲ ପାଣିରେ ଓମପ୍ରକାଶ ମଧ୍ୟ ଭାସି ଯାଇଛନ୍ତି । ଖବର ପାଇ ବରଗଡ଼ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖାଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିପାରିନଥିଲା ଯୁବକଙ୍କ ।
ବରଗଡରୁ ରାଜେଶ ସରାପ,ଇଟିଭି ଭାରତ