ବରଗଡ: ବଦଳି ଯାଇଛି ଯୁଗ । ଆଉ ଯୁଗ ସହ ତାଳ ଦେଇ ବଦଳି ଯାଇଛି ଅନେକ କିଛି । ଆଧୁନିକତା ଆଡକୁ ମୁହାଁଇଛି ଅନେକ ପାରମ୍ପରିକ ପ୍ରଥା । ଏଥିରୁ ଚାଷ ବା ବାଦ ପଡନ୍ତା କିପରି ? ହଳଲଙ୍ଗଳ ବଦଳି ଏବେ ଟ୍ରାକ୍ଟର, ପାୱାର ଟିଲରରେ ପରିଣତ ହୋଇଛି । ଆଉ ଏହା ଭିତରେ କେଉଁଠି ପଥହରା ହୋଇ ହଜିଯାଇଛି ପଶ୍ଚିମ ଓଡିଶା ଚାଷୀର ହଳିଆ ଗୀତ ।
ପଶ୍ଚିମ ଓଡିଶାର ଚାଷୀଙ୍କ ପରମ୍ପରାର ଏକ ଅଂଶ ଏହି ହଳିଆଗୀତ । ବର୍ଷାର ପ୍ରଥମ ସ୍ପର୍ଶ ଯେତେବେଳେ ଧରଣୀକୁ ଛୁଏଁ ଚାଷୀ ଉତ୍ସାହିତ ହୋଇ ହଳଲଙ୍ଗଳ ଧରି ଚାଷ କରିବାକୁ ବାହାରିଥାଏ । ଆଉ ହଳ କରିବା ସମୟରେ ତାର ମନରୁ ପରିପ୍ରକାଶ ହୋଇଥାଏ ହଳିଆ ଗୀତ । ଏହି ଗୀତକୁ ଗାଇ ଚାଷୀ ତାର ସବୁ ହୁଃଖ କଷ୍ଟକୁ ଭୁଲି ଯାଇଥାଏ । ମାତ୍ର ବର୍ତ୍ତମାନ ଟ୍ରାକ୍ଟର ଓ ପାୱାରଟିଲ ସାହାଯ୍ୟରେ ଚାଷୀ ଚାଷ କରୁଥିବାବେଳେ ଦିନକୁ ଦିନ ଗାଈ ଗୋରୁଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି, ଆଉ ଆଧୁନିକତାର କୋଳାହଳ ମଧ୍ୟରେ ନିଶବ୍ଦ ହୋଇଯାଇଛି ଚାଷୀ ମନରେ ଆଶା ସଞ୍ଚାର କରୁଥିବା ହଳିଆଗୀତ ।