ବରଗଡ଼: ମଦଭାଟି ନିର୍ମାଣକୁ ବିରୋଧ କରି ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କଲେ ବରଗଡ଼ ବ୍ଲକର ବରଡୋଳ ଗ୍ରାମବାସୀ । ମଦମୁକ୍ତ ଗ୍ରାମ ଭାବରେ ପରିଚିତ ଥିବା ବରଡୋଳ ଗ୍ରାମପଞ୍ଚାୟତର ବରଡୋଳ ଗ୍ରାମରେ ସରକାର ଖୋଲିବେ ଦେଶୀମଦ ଭାଟି । ଯାହାକୁ ନେଇ ଜିଲାପାଳଙ୍କଠାରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ମଦ ପାଇଁ ସମାଜରେ ଅପରାଧ ସହିତ ବହୁ ଧନ ଜୀବନ ନଷ୍ଟ ହେଉଥିବାରୁ ରାଜ୍ୟରେ ମହିଳାମାନଙ୍କ ମଦବିରୋଧୀ ଆନ୍ଦୋଳନ ବଢିଚାଲିଛି । ସେପଟେ କିନ୍ତୁ ସରକାର ମଦକୁ ଅଧିକ ମାତ୍ରାରେ ବିକ୍ରି କରିବା ପାଇଁ ଗାଁ ଗାଁ ମାନଙ୍କରେ ମଦ ଦୋକାନ ଖୋଲିବା ପାଇଁ ଯେଉଁ ପ୍ରୟାସ କରିଛନ୍ତି ସେଥିରେ ଜନସାଧାରଣଙ୍କ ଅସନ୍ତୋଷ ଏବେ ଆନ୍ଦୋଳନର ରୂପ ନେବାକୁ ଲାଗିଛି । ବରଗଡ଼ ବ୍ଲକ ବରଡୋଳ ବାସିନ୍ଦା ମଦବିରୋଧୀ ଆନ୍ଦୋଳନ ଚଳାଇ ୨୦୧୮ ମସିହାରୁ ସେଠାରେ ମଦ ବିକ୍ରି କାରବାର ବନ୍ଦ କରାଇବା ସହିତ ଗ୍ରାମବାସୀ ଏକ ହୋଇ ମଦମୁକ୍ତି ଅଭିଯାନରେ ସଫଳ ହୋଇପାରିଥିଲେ ।