ବରଗଡ଼: ବରଗଡ ଜିଲ୍ଲା ମୁଖ୍ୟକାର୍ଯ୍ୟଳୟ ଠାରୁ ମାତ୍ର 7 କିଲୋମିଟର ଦୂରରେ ରହିଥିବା ଧାଙ୍ଗେର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଣ୍ଡରୀପଥର ଗ୍ରାମର ମୁଖ୍ୟ ରାସ୍ତା ଶୋଚନୀୟ ଅବସ୍ଥାରେ ପଡିରହିଛି । ଏ ସମ୍ପର୍କରେ ଗ୍ରାମବାସୀ ଦୀର୍ଘ 10 ବର୍ଷ ହେଲା ଜିଲ୍ଲା ପ୍ରଶାସନ ଓ ନେତା ମନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ ଜଣାଇବା ସତ୍ତ୍ବେ କୌଣସି ସୁଫଳ ମିଳୁନି । ଶେଷରେ ରାସ୍ତା ତିଆରି ଦାବିରେ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଛନ୍ତି ପାଣ୍ଡରୀପଥର ବାସିନ୍ଦା । ଯଦି ରାସ୍ତା ସମସ୍ୟାର ସମାଧାନ ନହୁଏ ତେବେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
ପାଣ୍ଡରୀପଥର ଗାଁର ମୁଖ୍ୟ ରାସ୍ତା ବିପର୍ଯ୍ୟସ୍ତ ଥିବାରୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ 10 ବର୍ଷ ଧରି ରାସ୍ତା ଅବହେଳିତ ଅବସ୍ଥାରେ ରହିଛି । ବହୁ ଅସୁବିଧାରେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଯାତାୟତ କରୁଥିବା ବେଳେ ଅଧିକାଂଶ ସମୟରେ ଛୋଟ ବଡ ଦୁର୍ଘଟଣାର ଶିକାର ହେଉଛନ୍ତି । ବିଶେଷକରି ବର୍ଷା ଦିନେ ସ୍ଥିତି ଅଧିକ ଶୋଚନୀୟ ହୋଇପଡୁଛି । ଅସରାଏ ବର୍ଷା ହେଲେ ଏହି ରାସ୍ତାରେ ଯାତାୟତ କରିବା ଆଦୌ ସୁରକ୍ଷିତ ନଥିବା ବେଳେ ଅନ୍ୟପନ୍ଥା ନପାଇ ବାଧ୍ୟ ହୋଇ ଗ୍ରାମବାସୀ ଯାତାୟାତ କରୁଛନ୍ତି | ଅନେକ ସମୟରେ ଗ୍ରାମକୁ ଆମ୍ବୁଲାନ୍ସ ଆସିଲେ କାଦୁଅରେ ଫସିଯାଉଛି । ଫଳରେ ରୋଗୀ ମୃତ୍ୟୁମୁଖରେ ପଡୁଛନ୍ତି ।