ବରଗଡ: ଗ୍ରାମରେ ପାଣିର ଅଭାବ ନେଇ ବାରମ୍ବାର ଅଭିଯୋଗ ସତ୍ବେ ସରକାର ପାଣି ସମସ୍ୟାର କୌଣସି ସମାଧାନ ନ କରିବାରୁ ଶତାଧିକ ଗ୍ରାମବାସୀ ନିଜେ ଗ୍ରାମରେ ପୋଖରୀ ଖନନ ପାଇଁ ବାହାରି ପଡିଲେ । ଏପରି ଘଟଣା ଘଟିଛି ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ପଞ୍ଚାୟତ ୫ ନମ୍ବର ୱାର୍ଡ ଗଣେଶ ନଗର ଠାରେ ।
ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ପଞ୍ଚାୟତ ୫ ନମ୍ବର ୱାର୍ଡରେ ୩୦୦ ରୁ ଅଧିକ ଜନବସତି ରହିଥିବା ବେଳେ ସେଠାରେ ରହିଛି ମାତ୍ର ୨ ଗୋଟି ନଳକୂପ । ହେଲେ ପ୍ରାୟତଃ ଏହି ନଳକୂପ ଗୁଡିକ ଖରାପ ଅବସ୍ଥାରେ ପଡିରହୁଛି । ତେବେ ଗ୍ରାମରେ ଗୋଟିଏ ହେଲେ ବନ୍ଧ ବା ପୋଖରୀ ନଥିବାରୁ ଗ୍ରାମବାସୀଙ୍କ ପାଇଁ ଗାଧୋଇବା ଲାଗି ଅନ୍ୟ କୌଣସି ସାଧନ ମଧ୍ୟ ନଥିବାରୁ ଗ୍ରାମବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ବାଧ୍ୟ ହୋଇ ଗ୍ରାମବାସୀ ଧାନ କ୍ଷେତ ଦେଇ ଯାଇଥିବା ନାଳର ପାଣିକୁ ଗାଧୋଇବା ପାଇଁ ବ୍ୟବହାର କରୁଛନ୍ତି ।