ବରଗଡ: ମେଳଛାମୁଣ୍ଡା ଥାନା ଅମ୍ବାମୁଣ୍ଡା ଗାଁରେ ଜଣକୁ ବିଷ ପିଆଇ ହତ୍ୟା କରାଯିବା ଘଟଣାରେ ଲିଖିତ ଅଭିଯୋଗର 15ଦିନ ପରେ ବି ପୋଲିସ ହାତ ଖାଲି । ଅଭିଯୁକ୍ତମାନେ ପରିବାର ଲୋକଙ୍କୁ ଭୟଭୀତ କରାଉଥିବା ଅଭିଯୋଗ । ବରଗଡ ଏସପିଙ୍କ ନିକଟରେ ଫେରାଦ ହେଲେ ପରିବାର ଲୋକେ । ଅଭିଯୁକ୍ତଙ୍କୁ ଗରିଫ ନକରିବା ପର୍ଯ୍ୟନ୍ତ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଆଗରେ ବସିରହିବାକୁ କଲେ ଜିଦ୍ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଅମ୍ବାମୁଣ୍ଡା ଗାଁର ଉଦେ ତାଣ୍ଡିଙ୍କୁ କିଛି ବ୍ୟକ୍ତି ଜୋର ଜବରଦସ୍ତ ବିଷ ପିଆଇ ଦେଇଥିଲେ । ଉଦେ ତାଣ୍ଡି ଅସୁସ୍ଥ ଅବସ୍ଥାରେ ଘରକୁ ଫେରିବା ପରେ ତାଙ୍କ ସ୍ତ୍ରୀ ଇଳା ତାଣ୍ଡିଙ୍କୁ ସମସ୍ତ କଥା ଜଣାଇଥିଲେ ଓ ସୁରେଶ୍ଵର ଠେଲା ତାଙ୍କୁ ବିଷ ପିଆଇଥିବା କହିଥିଲେ । ପରେ ଉଦେଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ତ୍ରୀ ଇଳା ଏହି ଘଟଣା ବିଷୟରେ ବାହାରେ ପ୍ରଘଟ କରିବାରୁ ଅଭିଯୁକ୍ତ ଆସି ମୃତ ଉଦେଙ୍କ ପରିବାରକୁ ଧମକ ଚମକ ଦେଇଥିଲେ ।
ଫଳରେ ପରିବାର ଲୋକେ ଡରିଯାଇ ଥାନାରେ କେସ କରିନଥିଲେ | କିନ୍ତୁ ପୁଣି ତିନି ମାସ ପରେ ସାହସ ଜୁଟାଇ ମୃତକ ଉଦେ ତାଣ୍ଡିଙ୍କ ପୁଅ ଜିତ ଅଭିଯୁକ୍ତଙ୍କ ବିରୋଧରେ ମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ | ଅଭିଯୋଗକୁ ଭିତ୍ତି କରି ପୋତା ଯାଇଥିବା ସ୍ଥାନକୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଖୋଳି ଉଦେ ତାଣ୍ଡିଙ୍କ କଙ୍କାଳ ବାହାର କରାଯାଇଥିଲା । କଙ୍କାଳର ସାମ୍ପଲକୁ ଡିଏନଏ ଟେଷ୍ଟ ପାଇଁ ପଠାଇ ପୋଲିସ ଚୁପ ବସିଥିବା ବେଳେ ଅଭିଯୁକ୍ତ ମାନେ ମୃତକଙ୍କ ପରିବାର ଲୋକଙ୍କୁ ଭୟଭୀତ କରାଉଥିବା ଅଭିଯୋଗ ହୋଇଛି | ଉଦେ ତାଣ୍ଡିକୁ ଯେପରି ହତ୍ୟା କରାଯାଇଥିଲା ସେପରି ତାଙ୍କ ପରିବାରର ସମସ୍ତଙ୍କୁ ହତ୍ୟା କରିଦିଆଯିବ ବୋଲି ଅଭିଯୁକ୍ତ ମାନେ ଧମକ ଦେଉଥିବା ଅଭିଯୋଗ ହୋଇଛି ।
ଏନେଇ ପ୍ରଥମେ ପରିବାର ଲୋକେ ମେଳଛାମୁଣ୍ଡା ପୋଲିସକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବାରୁ ପରିବାର ଲୋକେ ଭୟଭୀତ ହୋଇ ଆଜି ବରଗଡ ଏସପି ଓ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏହା ସହ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବି କରିଛନ୍ତି |
ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ