ଓଡିଶା

odisha

ETV Bharat / state

କୋରୋନାରେ ଗଡିଲା ଗୋଟିଏ ପରିବାରର ତିନି ମୁଣ୍ଡ - ଗୋଟିଏ ପରିବାରର 3 ଜଣଙ୍କ ମୃତ୍ୟୁ

ଗୋଟିଏ ପରିବାରର ତିନି ଜଣଙ୍କ ମୁଣ୍ଡ ନେଲା କିଲର ଭାଇରସ । ଗୋଟିଏ ମାସ ଭିତରେ ମାଆ ଓ ସାନ ଭାଇ ପଛେ ପଛେ ଚାଲିଗଲେ ଯୁବକ । ଅଧିକ ପଢନ୍ତୁ...

କୋରୋନାରେ ଗଡିଲା ଗୋଟିଏ ପରିବାରର ତିନି ମୁଣ୍ଡ
କୋରୋନାରେ ଗଡିଲା ଗୋଟିଏ ପରିବାରର ତିନି ମୁଣ୍ଡ

By

Published : Jun 10, 2021, 10:11 AM IST

ବରଗଡ: ଚାରିଆଡେମୃତ୍ୟୁର ବିଭୀଷିକା ରଚୁଛି କୋରୋନା । କେତେବେଳେ କାହା ମୁଣ୍ଡରୁ ସିନ୍ଦୁର ଲିଭି ଯାଉଛି ତ କିଏ ବାପାମାଆକୁ ହରାଇ ଅନାଥ ହୋଇଯାଉଛି । କୋରୋନା କେତେ ଯେ ଭୟଙ୍କର ତାହା ଏବେ ବୟାନ କରୁଛି ଶ୍ମଶାନ । କୋରୋନାର ସେଭଳି ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି ବରଗଡ ଜିଲ୍ଲାରୁ । ଯେଉଁଠି ମାସକ ଭିତରେ ଗୋଟିଏ ପରିବାରକୁ ଛାରଖାର କରିଦେଇଛି ଏହି ଘାତକ ଭୂତାଣୁ ।

କୋରୋନାରେ ଗଡିଲା ଗୋଟିଏ ପରିବାରର ତିନି ମୁଣ୍ଡ

ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲାଦେରପାଳି ଗ୍ରାମରେ ଗୋଟିଏ ପରିବାରରୁ ଦୁଇ ପୁଅ ଏବଂ ମାଆଙ୍କ କୋରୋନାରେ ମୃତ୍ୟୁ ଘଟିଛି । ପ୍ରଥମେ ଗତ ମେ ମାସ 8 ତାରିଖରେ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ 34 ବର୍ଷୀୟ ଟିଟୁନ ଦାଶଙ୍କ ମୃତ୍ୟୁ ଘଟିଥିଲା । ସାନ ପୁଅ ମୃତ୍ୟୁର ଠିକ୍ 10 ଦିନ ପରେ ମାଆ ସୌଦାମିନୀ ମଧ୍ୟ କୋରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ । ହେଲେ ବୁଧବାର ଦିନ ଉକ୍ତ ପରିବାର ଆଉ ଏକ ପୁଅକୁ ହରାଇଛି । କୋରୋନାରେ ଆକ୍ରାନ୍ତ ହୋଇ ବଡ ପୁଅ ଆଦିତ୍ୟ ପ୍ରସାଦ ଦାଶଙ୍କ(38) ମଧ୍ୟ ମୃତ୍ୟୁ ହୋଇଯାଇଛି । ଫଳରେ ମୃତକଙ୍କ ପରିବାର ଲୋକଙ୍କ କ୍ରନ୍ଦନରେ ବର୍ତ୍ତମାନ ସାରା ଅଞ୍ଚଳ ଏବେ ସ୍ତବ୍ଧ ।

ସୂଚନାଯୋଗ୍ୟ, ଆଦିତ୍ୟ ଗତ ମେ ମାସ ୨୬ ତାରିଖରେ କୋଭିଡ ଆକ୍ରାନ୍ତ ହୋଇ ବରଗଡ଼ ବିକାଶ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ବୁଧବାର ସେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଗୋଟିଏ ମାସରେ ଗୋଟିଏ ପରିବାର ତିନି ଜଣ ସଦସ୍ୟଙ୍କ ଏପରି ଅକାଳ ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେପଟେ ବରଗଡ ପିପଳମୁଣ୍ଡାସ୍ଥିତ କୋଭିଡ ସ୍ଵର୍ଗଦ୍ଵାର ଠାରେ ସଂକଳ୍ପ ପରିବାର ପକ୍ଷରୁ ଅସହାୟ ପାଲଟି ଯାଇଥିବା ସେହି ପରିବାରକୁ ସାହାଯ୍ୟ ପୂର୍ବକ କୋରୋନାରେ ମୃତ ଯୁବକଙ୍କ ଅନ୍ତିମ ସତ୍କାର କରାଯାଇଛି ।

ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ

ABOUT THE AUTHOR

...view details