ବରଗଡ଼ : ବରଗଡ଼ ଜିଲ୍ଲା ସ୍ଥିତ ବିକାଶ ଫାଷ୍ଟ ଷ୍ଟେପ ସ୍କୁଲର ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ । ମୃତ ଛାତ୍ର ଜଣକ ହେଲେ ଆଦିତ୍ୟ ରାଜ ସାହୁ । ଆଦିତ୍ୟ ସ୍କୁଲରେ ଖେଳୁଥିବା ସମୟରେ ହଠାତ ପଡ଼ିଯାଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇ ଚିକିତ୍ସିତ କରାଯାଇଥିଲା । ତେବେ ଏହାର ଦୁଇ ଦିନ ପରେ ସଂପୃକ୍ତ ଛାତ୍ରର ମୃତ୍ୟୁ ହୋଇଥିଲା । ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି ଆଦିତ୍ୟଙ୍କ ପରିବାର ଲୋକେ । ଏହାର ପ୍ରତିବାଦରେ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି ପରିବାର ଲୋକେ ।
ସୂଚନା ଅନୁଯାୟୀ, ବରଗଡ଼ ସ୍ଥିତ ବିକାଶ ଫାଷ୍ଟ ଷ୍ଟେପ ଘରୋଇ ସ୍କୁଲର ପ୍ରଥମ ଶ୍ରେଣୀରେ ପଢୁଥିଲେ ଆଦିତ୍ୟ ରାଜ ସାହୁ । ଜୁଲାଇ ୨୦ ତାରିଖ ଦିନ ଆଦିତ୍ୟ ସ୍କୁଲରେ ଖେଳୁଥିବା ସମୟରେ ହଠାତ ପଡ଼ିଯାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ଆଦିତ୍ୟଙ୍କ ମୁଣ୍ଡରେ ୫ଟି ଷ୍ଟିଚ ପଡିଥିଲା, ଏହାପରେ ପରିବାର ଲୋକେ ଘରକୁ ଆଣିଥିଲେ । ଏହାପରେ ଜୁଲାଇ ୨୨ ତାରିଖରେ ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିଲେ । ମାତ୍ର ସ୍କୁଲରୁ ଘରକୁ ଫେରିବା ପରେ ହଠାତ୍ ତାଙ୍କର ଅବସ୍ଥା ଗୁରୁତର ହୋଇଥିଲା । ପରିବାର ଲୋକେ ଆଦିତ୍ୟଙ୍କୁ ପୁଣି ହସ୍ପିଟାଲ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ଆଦିତ୍ୟଙ୍କୁ ମୃତ ଘୋଷଣା କରିଥିଲେ l ଏହାକୁ ନେଇ ଛାତ୍ରଙ୍କ ଘରେ ଶୋକର ଛାୟା ଖେଳିଯାଇଛି ।