ବରଗଡ: ପୌର ପରିଷଦ ଦ୍ଵାରା ଆଜି ପୁଣି 7 ଗୋଟି ନୂଆଁ ଇ-ରିକ୍ସା ସେବାର ଶୁଭାରମ୍ଭ ହୋଇଛି । ଏହାକୁ ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ ଶୁଭାରମ୍ଭ କରିଛନ୍ତି । ବିଧାୟକ ଏହାର ଶୁଭାରମ୍ଭ କରିବା ସହ ନିଜେ ଇରିକ୍ସା ଚଳାଇଛନ୍ତି । ପୌର ପରିଷଦ ଦ୍ଵାରା ଶୁଭାରମ୍ଭ ହୋଇଥିବା ଆଜିର ଏହି ଯୋଜନାରେ ଉପକୃତ ହେବେ 7 ଜଣ ମିଶନ ଶକ୍ତି ମହିଳା । ଆଜି ଖୋଦ୍ ବିଧାୟକ ଯାତ୍ରୀଙ୍କୁ ବସାଇ ଇ-ରିକ୍ସା ଚଲାଇଛନ୍ତି।
ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦୀର୍ଘ 10 କିଲୋମିଟର ଦୂର ପଡୁଥିବା ବେଳେ ଗମନାଗମନ ଅସୁବିଧା କାରଣରୁ ପୂର୍ବରୁ ରହିଥିବା ଇ-ରିକ୍ସା ସେବାକୁ ବୃଦ୍ଧି କରାଯାଇଛି । ପୌର ପରିଷଦର ସମସ୍ତ ଇ-ରିକ୍ସା ଗୁଡିକୁ ମହିଳାମାନେ ହିଁ ଚଲାଉଥିବେଳେ ଏହା ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ରୋଜଗାରର ଉତ୍ସ ହେବ । ଏହି ଇ-ରିକ୍ସା ପ୍ରଦୂଷଣ ମୁକ୍ତ ରଖିବ ବୋଲି କହିଛନ୍ତି ବରଗଡ ବିଧାୟକ ।
ବର୍ତ୍ତମାନ ବରଗଡର ମୁଖ୍ୟ ଚିକିତ୍ସାଳୟ 10 କିଲୋମିଟର ଦୂର ଭଟଲି ବ୍ଲକ ଅନ୍ତର୍ଗତ ଟୁକୁଲ୍ଲା ଗ୍ରାମକୁ ସ୍ଥାନାନ୍ତରିତ ହେବାପରେ ସହରବାସୀ ତଥା ବହୁ ଗରିବ ଲୋକ ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ଯିବା ଆସିବା କରିବା ପାଇଁ ଖର୍ଚ୍ଚାନ୍ତ ହେଉଥିଲେ । ତେବେ ଏନେଇ ଜନସାଧାରଣ ବାରମ୍ବାର ବରଗଡ ବିଧାୟକଙ୍କୁ ଦାବି କରିବା ପରେ ଜନସାଧାରଣଙ୍କ ପାଇଁ ଇ-ରିକ୍ସା ର ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ରୋଗୀଙ୍କ ସଂଖ୍ୟା ଅତ୍ୟଧିକ ରହୁଥିବାବେଳେ ଇ-ରିକ୍ସା ସଂଖ୍ୟା କମ ପଡୁଥିଲା । ତେଣୁ ଆଜି ପୁଣି ଏଥିପାଇଁ 7 ଗୋଟି ଇ-ରିକ୍ସା ବରଗଡବାସୀଙ୍କ ପାଇଁ ଉଦଘାଟନ କରାଯାଇଛି । ଯାହା ବରଗଡରୁ ହସ୍ପିଟାଲ ଯିବାକୁ ଜଣ ପିଛା 15 ଟଙ୍କା ଦେୟ ଦେବାକୁ ପଡିବ ।