ବରଗଡ:ବଣ ଭୋଜି କରିବାକୁ ଯାଇଥିବା ବେଳେ ଏକ ରାଜନୈତିକ ଦଳର ସମର୍ଥକଙ୍କୁ ନାଲି ଆଖି ଦେଖାଇଲେ ପୋଲିସ ବାବୁ। ୟୁନିଫର୍ମରେ ନଥାଇ ମଧ୍ୟ ନିଜର ସର୍ଭିସ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ଦୁର୍ବ୍ୟବହାର କଲେ ପୋଲିସ ଅଧିକାରୀ । ଯାହା ପରମୁହୁର୍ତ୍ତରେ ମହଙ୍ଗା ସାବ୍ୟସ୍ତ ହୋଇଛି । ଥାନା ଭିତରକୁ ପଶି ବ୍ୟାପକ ଭଙ୍ଗାରୁଜା କଲେ ଶତାଧିକ ଲୋକେ । ଏଭଳି ଘଟଣା ଘଟିଛି ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନାରେ । ଶତାଧିକ ଲୋକେ ଅତର୍କିତ ଭାବେ ଆମ୍ବାଭୋନା ଥାନା ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିବାରୁ ଥାନାରେ ଥିବା କମ୍ପ୍ୟୁଟର, ଚୌକି, ଟେବୁଲ , କାଚ ଡୋର୍, ସିସି ଟିଭି କ୍ୟାମେରା ସହିତ ବହୁ ଆସବାବ ପତ୍ର ଭାଙ୍ଗି ଚୂରମାର୍ ହୋଇଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି(ରବିବାର) ଅମ୍ବଭୋନା ଅଞ୍ଚଳକୁ ଆଖପାଖ ଗ୍ରାମରୁ ବହୁ ଲୋକ ବଣ ଭୋଜି ପାଇଁ ତାମଦେଇ ପିକ୍ନିକ୍ ସ୍ଥଳକୁ ଆସିଥିଲେ । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକମାନେ ମଧ୍ୟ ବଣ ଭୋଜି ପାଇଁ ଆସିଥିଲେ । ଏହି ସମୟରେ ଆମ୍ବାଭୋନା ପୋଲିସ ଅଧିକାରୀ ତାଙ୍କ ଅନ୍ୟ କର୍ମଚାରୀଙ୍କୁ ନେଇ ପିକ୍ନିକ୍ ସ୍ଥାନରେ ପହଞ୍ଚିଥିଲେ ଏବଂ ନିଶାଦ୍ରବ୍ୟ ଗଚ୍ଛିତ ଥିବା ସନ୍ଦେହରେ ସର୍ଚ୍ଚ କରିବା ଆରମ୍ଭ କରିଥିଲେ । ପୋଲିସ ଅଧିକାରୀ ଜଣକ ୟୁନିଫର୍ମରେ ନଥିବା ବେଳେ ନିଜର ସର୍ଭିସ ବନ୍ଧୁକ ଦେଖାଇ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିବା ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ-ଚିତ୍ରକୋଣ୍ଡା ଥାନାରେ କଂଗ୍ରେସ କର୍ମୀଙ୍କ ଭଙ୍ଗାରୁଜା