ଓଡିଶା

odisha

ETV Bharat / state

ବାଲି ଚୋରାଚାଲାଣ, ଛତିଶଗଡ ଲୁଟୁଛି ପ୍ରଶାସନ ଦେଖୁଛି - ରାଜସ୍ବ ହରାଉଛି ଓଡିଶା

ବରଗଡ ଜିଲ୍ଲା ପ୍ରଶାସନର ନାକ ତଳେ ସ୍ପଷ୍ଟ ଦିବାଲୋକରେ ଓଡିଶାର ସମ୍ପତ୍ତି ଚୋରି କରୁଛି ଛତିଶଗଡ଼ । ଓଡିଶା ସୀମାନ୍ତରେ ଥିବା ବରଗଡ ଜିଲ୍ଲାରୁ ଛତିଶଗଡର ବାଲି ମାଫିଆ ସ୍ଥାନୀୟ ପ୍ରଶାସନକୁ ହାତ ଗୁଞ୍ଜାଦେଇ ନମ୍ବର ବିହୀନ ଟ୍ରାକ୍ଟରରେ ଶହଶହ ଟ୍ରିପ ବାଲି ଲୁଟି ନେଉଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Oct 13, 2019, 2:07 AM IST

ବରଗଡ: ସ୍ପଷ୍ଟ ଦିବାଲୋକରେ ଓଡିଶାର ସମ୍ପତ୍ତି ଚୋରି କରୁଛି ଛତିଶଗଡ଼ । ସବୁକିଛି ଜିଲ୍ଲା ପ୍ରଶାସନର ନାକ ତଳେ ହେଉଛି । ସ୍ଥାନୀୟ ପ୍ରଶାସନ ଏହାକୁ ରୋକିବା ବଦଳରେ କିଛି ହାତଗୁଞ୍ଜା ନେଇ କଥା ରଫାଦଫା କରୁଛି ବୋଲି ଅଭିଯୋଗ ହୋଇଛି । ସେପଟେ ବେଆଇନ ବାଲିଚାଲାଣ ନେଇ ବହୁବାର ଆପତ୍ତି ଉଠାଇଛନ୍ତି ସ୍ଥାନୀୟ ଲୋକେ । ମାତ୍ର ବାଡ ଯଦି ଫସଲ ଖାଏ, ଗୁହାରୀ କରିବ କାହାକୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ପଡୋଶୀ ଛତିଶଗଡର ବାଲି ମାଫିଆ ଓ ସ୍ଥାନୀୟ ସରକାରୀ କଳର ପ୍ରିୟାପ୍ରିତି ଚାଲିଛି । ଫଳରେ ଓଡିଶା କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି । ଓଡିଶା ସୀମାନ୍ତରେ ଥିବା ବରଗଡ ଜିଲ୍ଲାରୁ ଭୂ-ସମ୍ପତ୍ତି ସବୁ ଛତିଶଗଡକୁ ବେଆଇନ ଭାବେ ପଠାଯାଉଥିବା ଅଭିଯୋଗ ହୋଇଛି । ମାତ୍ର ଆଶ୍ଚର୍ଯ୍ୟର କଥା ସ୍ଥାନୀୟ ପୋଲିସ, ତହସିଲଦାର ଓ ଉପଜିଲ୍ଲାପାଳ ସମସ୍ତେ ନିରବଦ୍ରଷ୍ଟା । ନିଜର ପକେଟ ଗରମ କରିବାକୁ ସାଗ ମାଛଦରରେ, ପ୍ରତ୍ୟେକ ଟ୍ରାକ୍ଟର ଠାରୁ ଟ୍ରିପ ପିଛା ୩୦୦ରୁ 3000 ଟଙ୍କା ନିଆଯାଉଥିବା କୁହାଯାଉଛି । ଏହିପରି ଭାବରେ ବର୍ଷକୁ ପ୍ରାୟ ୧୧ ଲକ୍ଷରୁ ଅଧିକ ଟଙ୍କା ଆଦାୟ ହୋଇଥାଏ । ତେବେ ସବୁତକ ସ୍ଥାନୀୟ ବାବୁମାନଙ୍କ ପକେଟକୁ ଚାଲିଯାଏ । ବାଲି ଚୋରା ଚାଲାଣ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ମାତ୍ର ବରଗଡ ଜିଲ୍ଲା ପ୍ରଶାସନ ଯେମିତି ଏ ଘଟଣାରେ ଆଖି ବୁଜିଦେଇଛି ।

ରାଜ୍ୟ ସରକାର ଦଲାଲ ଓ ଲାଞ୍ଚୁଆ ଅଫିସରଙ୍କୁ ଚାକିରୀରୁ ନିଲମ୍ବିତ କରି ପ୍ରଂଶସା ସାଉଁଟୁଛନ୍ତି । ତେବେ ବରଗଡର ଏହି ଘଟଣା, ସରକାରଙ୍କ 5T ପରିକଳ୍ପନାର ନଗ୍ନ ଉଦାହରଣ ପାଲଟିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details