ବରଗଡ଼: ଆଜି ହଳଦୀପାଲିସ୍ଥିତ ବୀର ଛକ ଠାରେ ଜିଲ୍ଲା ପ୍ରଶାସନ ଓ ଶହୀଦ ସ୍ମୃତି କମିଟି ଦ୍ଵାରା ବୀର ମାଟି ଘେଂସର ବୀରପୁତ୍ର ସହିଦ ମାଧୋ ସିଂଙ୍କର ବଳିଦାନ ଦିବସ ତଥା ବୀରତା ଦିବସ ୨୦୨୩ ପାଳିତ ହୋଇଛି । ଏହି ଅବସରରେ ବୀର ମାଟି ଘେଂସରୁ ଶୁଭ ମଶାଲ ଶୋଭାଯାତ୍ରା ସ୍ଥାନୀୟ ହଳଦୀପାଲିର ବୀର ଛକ ପର୍ଯ୍ୟନ୍ତ ଆସିଥିଲା । ଏହା ସହିତ ଏକ ଗଣଦୌଡ ସ୍ଥାନୀୟ ସମଲେଶ୍ଵରୀ ମନ୍ଦିରରୁ ବାହାରି ଲେଙ୍ଗୁ ମିଶ୍ର ଛକ ଓ ଗାନ୍ଧୀ ଛକ ଦେଇ ହଳଦୀପାଲିସ୍ଥିତ ବୀରଛକ ପର୍ଯ୍ୟନ୍ତ ଯାଇଥିଲା । ପାଣ୍ଡବ କର୍ଣ୍ଣ ସହିଦ ମାଧୋ ସିଂଙ୍କ ବେଶରେ ସଜ୍ଜିତ ହୋଇ ଘେଂସରୁ ମଶାଲ ଆଣିଥିଲେ ।
ଏହି ଉତ୍ସବରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ମନିଷା ବାନାର୍ଜୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପିଏସ୍ ମୀନା, ସହିଦ ସ୍ମୃତି କମିଟି ସଭାପତି ପ୍ରମୋଦ ଝା, ବାର ଆସୋସିଏସନ ସଭାପତି ଭୀଷ୍ମ ଦେବ ସରାଫ, ସହିଦ ସ୍ମୃତି କମିଟି ଉପସଭାପତି ରବିନାରାୟଣ ପଣ୍ଡା ପ୍ରମୁଖ ଅତିଥି ଭାବରେ ମଞ୍ଚାସୀନ ଥିଲେ । ସମସ୍ତ ଅତିଥି ପ୍ରଥମେ ସହିଦ ସ୍ମୃତି ସ୍ତମ୍ଭରେ ଏବଂ ସଂଗ୍ରାମୀ ମାଧୋ ସିଂଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଦେଶମାତୃକା ପାଇଁ ବଳିଦାନ ଦେଇଥିବା ବରଗଡ଼ ଜିଲ୍ଲା ଘେଂସର ଜମିଦାର ମାଧୋ ସିଂ ଓ ତାଙ୍କର ଚାରି ପୁତ୍ର ହଟ୍ଟେ ସିଂ, ଐରି ସିଂ, ବୈରୀ ସିଂ ଓ କୁଞ୍ଜଲ ସିଂଙ୍କ ସ୍ମୃତି ଚାରଣ କରି ମୁଖ୍ୟ ବକ୍ତା ଡଃ ଜଗଦୀଶ ମିଶ୍ର ମାତୃଭୂମି ପାଇଁ ସଦା ସମର୍ପିତ ରହି ଦେଶର ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ କହିଥିଲେ, "ସ୍ଵାଧୀନତା ସଂଗ୍ରାମରେ ବୀର ମାଟି ଘେଂସ ତଥା ସମଗ୍ର ବରଗଡ଼ ଜିଲ୍ଲାର ଅବଦାନ ଓ ଗୋଟିଏ ପରିବାରର ସମସ୍ତେ ସହିଦ ହୋଇଥିବା ଏକ ବିରଳ ଦୃଷ୍ଟାନ୍ତ । ଏହା କେବଳ ବରଗଡ ନୁହେଁ, ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଗୌରବର ବିଷୟ ।" ସେହି ବୀର ପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନରେ ଏକ ଭଲ ମଣିଷ ହେବା ପାଇଁ ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ତଥା ବରଗଡ଼ ବିଧାୟକ ମାଧୋ ସିଂଙ୍କର ଏହି ବୀରତ୍ବର ଗାଥା କିପରି ପାଠ୍ୟ ପୁସ୍ତକରେ ସ୍ଥାନ ପାଇବ, ସେନେଇ ଚେଷ୍ଟା କରିବା ପାଇଁ ସମସ୍ତ ସଂଗଠନର ସହଯୋଗ କାମନା କରିଥିଲେ ।