ବରଗଡ: ସ୍ବାଧୀନତାର 74 ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟରେ ଏପରି କିଛି ଅଞ୍ଚଳ ଅଛି ଯେଉଁଠାରେ ଆଜିବି ବିକାଶ ଅପହଞ୍ଚ । ସରକାର ଲୋକଙ୍କ ବିକାଶ ପାଇଁ ନାନା ଯୋଜନା କରୁଥିବା ନେଇ ଦିଣ୍ଡିମ ପିଟୁଥିବା ବେଳେ ବରଗଡ ଜିଲ୍ଲା ଝାରବନ୍ଦ ବ୍ଲକ ଅଞ୍ଚଳକୁ ଦେଖିଲେ ଏହା ମନେ ହେଉନାହିଁ ।
ଝାରବନ୍ଦ ବ୍ଲକ ଅଞ୍ଚଳରେ ଆଜିବି ବିକାଶ ଅପହଞ୍ଚ ଏହି ଅଞ୍ଚଳରେ ଅଗଣିତ ସମସ୍ୟା ଥିବାବେଳେ ଗମନାଗମନ ପରି ମୌଳିକ ସୁବିଧାରୁ ବଞ୍ଚିତ ଏହି ଅଞ୍ଚଳବାସୀ । ବର୍ଷା ଦିନ ଆସିଲେ ଏହି ଅଞ୍ଚଳର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାଧାରଣତଃ ମେଡିକାଲ ସମସ୍ୟା ହେଲେ ଏହି ଅଞ୍ଚଳକୁ ଆମ୍ବୁଲାନ୍ସ ଆସିବା ତ ଦୂରର କଥା ସାଧାରଣ ବାଇକଟିଏ ମଧ୍ୟ ଆସିପାରୁନାହିଁ ।
ବରଗଡ ଝାରବନ୍ଦ ବ୍ଲକ କନ୍ଦାଡଙ୍ଗର ଗ୍ରାମରୁ କୁଶମଦର୍ହା ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏବଂ ଏକମାତ୍ର କଚ୍ଚାରାସ୍ତା ଦେଇ ଯୁଗଯୁଗ ଧରି ଲୋକେ ଯିବା ଆସିବା କରୁଛନ୍ତି ହେଲେ ଏହି ରାସ୍ତା ଆଗରୁ ଯେମିତି ରହିଥିଲା ଆଜିମଧ୍ୟ ସେହିପରି ରହିଛି | ବର୍ଷା ହୋଇଗଲେ ଏହି ରାସ୍ତା ଦେଇ ଯିବା ଆସିବା କଷ୍ଟକର ହୋଇପଡେ । କୁଶମଦର୍ହା ଗ୍ରାମବାସୀ ଏହି ରାସ୍ତାର ନିର୍ମାଣ ନିମନ୍ତେ ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କୁ ଯେତେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି|
ଦୈନନ୍ଦିନ ଏହି ରାସ୍ତାରେ ଲୋକେ ଯିବା ଆସିବା ସମୟରେ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ଗ୍ରାମବାସୀଙ୍କ ଜୀବନ ବିପଦରେ ରହିଥିଲେ ମଧ୍ୟ ରାସ୍ତା ନିର୍ମାଣ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଦୁଃଖର ବିଷୟ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ