ବରଗଡ: ଜିଲ୍ଲାରେ ସାଧାରଣ ନିର୍ବାଚନ ପାଇଁ ଗତ 18 ତାରିଖରେ ମତଦାନ ପ୍ରକ୍ରିୟା ରହିଥିବା ବେଳେ ଇଭିଏମ ମେସିନ ତ୍ରୁଟି ଯୋଗୁଁ ଜିଲ୍ଲାର ତିନୋଟି ବୁଥରେ ମତଦାନ ସମ୍ପୂର୍ଣ ହୋଇପାରିନଥିଲା। ଫଳରେ ଗୁରୁବାର ସେହି 3 ଗୋଟି ବୁଥରେ ସାନି ମତଦାନ କରାଯାଇଥିଲା । 2019 ସାଧାରଣ ନିର୍ବାଚନ ପାଇଁ ବରଗଡ ଲୋକସଭାର ମତଦାନ ପ୍ରକ୍ରିୟା ଆଜି ସମ୍ପୂର୍ଣ ହୋଇଯାଇଥିବା ବେଳେ ସମସ୍ତ ଦଳର ପ୍ରାର୍ଥୀମାନଙ୍କ ଭାଗ୍ୟ ଇଭିଏମ ମେସିନରେ ବନ୍ଦ ହୋଇ ରହିଛି ଯାହାକି ଆସନ୍ତା ମେ 23ରେ ଜଣାପଡିବ। ତେବେ ଫଳାଫଳକୁ ପ୍ରାର୍ଥୀ ମାନେ ଅପେକ୍ଷା କରି ରହିଥିବା ବେଳେ ସମସ୍ତ ଦଳର ପ୍ରାର୍ଥୀ ମାନେ ବିଜୟୀ ହେବାର ଆଶା ରଖିଛନ୍ତି ।
ଗୁରୁବାର ବରଗଡ ଜିଲ୍ଲାର 3 ଟି ବିଧାନସଭାର 3 ଗୋଟି ବୁଥରେ ସାନି ମତଦାନ କରାଯାଇଥିଲା | ବରଗଡ ବିଧାନସଭା, ଅତାବିରା ବିଧାନସଭା ଓ ପଦ୍ମପୁର ବିଧାନସଭାର 3ଟି ବୁଥରେ ହୋଇଥିଲା ସାନି ମତଦାନ । ତେବେ ସାନି ମତଦାନରେ ଅତାବିରା ବିଧାନସଭାରେ 83 .91 % ଓ ପଦ୍ମପୁର ବିଧାନସଭାରେ 76.94 % ମତଦାନ ହୋଇଥିବା ବେଳେ ବରଗଡ ବିଧାନସଭାରେ ଗ୍ରାମାଞ୍ଚଳ ଅପେକ୍ଷା କମ ମତଦାନ ହୋଇଥିଲା । ବରଗଡରେ ମାତ୍ର 62.41 % ମତଦାନ ହୋଇଥିଲା କିନ୍ତୁ ପଦ୍ମପୁର ଅଞ୍ଚଳ ମାଓବାଦୀ ଅଧିଷ୍ଠିତ ଅଞ୍ଚଳ ହୋଇଥିବାରୁ ଅପରାହ୍ନ 4 ଟାରେ ମତଦାନ ବନ୍ଦ କରାଯାଇଥିଲେ ମଧ୍ୟ ବରଗଡ ସହର ଅପେକ୍ଷା ଅଧିକ ପ୍ରତିଶତ ମତଦାନ କରିଥିଲେ ଗ୍ରାମାଞ୍ଚଳର ଭୋଟର ।