ବରଗଡ଼:ଆସନ୍ତା ଜାନୁୟାରୀ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବରଗଡର ୭୬ତମ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା । ଜାନୁୟାରୀ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଖୋଲା ମଞ୍ଚରେ ଅଭିନୀତ ହେବ ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ଧନୁଯାତ୍ରାର ଭିନ୍ନ ଭିନ୍ନ ଦୃଶ୍ୟ । ପୌରାଣିକ କଥା ବସ୍ତୁଉପରେ ଆଧାରିତ ଏହି ନାଟକକୁ ଜୀବନ୍ତ ଓ ଚିତ୍ତାକର୍ଷକ କରିବା ପାଇଁ ଆରମ୍ଭ ହୋଇଯାଇଛି ଅଭ୍ୟାଶ ଆଖଡା ଶାଳା ।
ଧନୁଯାତ୍ରା ମହୋତ୍ସବ କଳାକାର ଉପଦେଷ୍ଟା କମିଟିର ଆବାହକ ତଥା ଅତିରିକ୍ତ ଜିଲ୍ଲାପାଳ ଲଲାଟ କୁମାର ଲୁହା ସ୍ଥାନୀୟ କଲ୍ୟାଣ ମଣ୍ଡ ଠାରେ ଏହି ଆଖଡା ଶାଳାର ଶୁଭାରମ୍ଭ କରିଛନ୍ତି । କଳାକାର ଉପଦେଷ୍ଟା କମିଟିର ସହ ଆବାହକ ଅଶୋକ କୁମାର ବେହେରାଙ୍କ ତତ୍ତ୍ବାବଧାନରେ ଉଗ୍ରସେନ, କଂସଙ୍କଠାରୁ ଆରମ୍ଭ କରି ବିଭିନ୍ନ ଚରିତ୍ରର କଳାକାରମାନେ ନାଟକର ଅଭ୍ୟାସ ଆରମ୍ଭ କରିଥିଲେ । ଏହି ଆଖଡା ସାଲରେ ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ବର ଶତପଥୀଙ୍କ ସମେତ କଳାକାର ଉପଦେଷ୍ଟା କମିଟିର ସଭ୍ୟମାନେ ଉପସ୍ଥିତ ଥିଲେ ।
ଏହା ବି ପଢନ୍ତୁ- ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ, ପୁଣି ଫେରିବ ଦ୍ବାପରଯୁଗର କୃଷ୍ଣଲୀଳା
ବାଗଦେବୀ ମା' ସରସ୍ଵତୀ ଦେବୀଙ୍କ ଫଟୋରେ ମାଲ୍ୟାର୍ପଣ ଓ ପୂଜା କଲାପରେ ଆଖଡା ସାଲରେ ଆଭ୍ୟାସ ଆରମ୍ଭ କରାଯାଇଥିଲା । ମହାରାଜା କଂସ ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ବର ପ୍ରଧାନଙ୍କ ସମେତ ସମସ୍ତ କଳାକାରମାନେ ଏବର୍ଷ ଆହୁରି ଅଧିକ ଭଲ ଅଭିନୟ ପ୍ରଦର୍ଶନ କରିବା ପାଇଁ ନିଜର ଅଭ୍ୟାସ ଜାରି ରଖିଛନ୍ତି । ଆଉ କିଛିଦିନ ପରେ ବରଗଡଠାରେ ଆରମ୍ଭ ହେବ ବିଶ୍ଵ ବିଖ୍ୟାତ ଧନୁଯାତ୍ରା । ବିରାଟ ଖୋଲା ରଙ୍ଗମଞ୍ଚରେ ଦୃଶ୍ୟ ପରେ ଦୃଶ୍ୟ ଅଭିନୀତ ହେବ ପୌରାଣିକ କଥା ବସ୍ତୁର ନାଟକ । ଏହି ନାଟକକୁ ଜୀବନ୍ତ କରିବା ପାଇଁ ଉଚ୍ଚକୋଟୀର ଅଭିନୟ ଆବଶ୍ୟକ । ଏଥିପାଇଁ ଧନୁଯାତ୍ରା ଆରମ୍ଭର ବହୁଦିନ ପୂର୍ବରୁ ଆରମ୍ଭ ହୋଇଥାଏ ଅଭ୍ୟାସ ଆଖଡା ।