ବରଗଡ: ଜାତିଗତ ଭେଦଭାବ ନେଇ ଶତାଧିକ ପରିବାରଙ୍କୁ ରାସ୍ତାରେ ଯିବା ଆସିବା ପାଇଁ ମନା କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ସୋମବାର ବରଗଡ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଅଭିଯୋଗ ଜଣାଇଥିଲେ ବହୁ ପରିବାର । ଏପରି ଘଟଣା ଘଟିଛି ବରଗଡ ସଦର ବ୍ଲକ ଅନ୍ତର୍ଗତ ତୋରା ଗ୍ରାମପଞ୍ଚାଯତରେ ।
ଏବେକାର ଆଧୁନିକ ଯୁଗରେ ମଧ୍ୟ ଜାତିବାଦ । ତାହାପୁଣି ବରଗଡ ସହରରେ, ଯାହାକି ଏକ ନିନ୍ଦନିୟ ଘଟଣା ଭାବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସୂଚନା ଅନୁଯାୟୀ ବରଗଡ ସଦର ତୋରା ଗ୍ରାମପଞ୍ଚାୟତର ବାହାଲପଡାଠାରେ ଦୀର୍ଘ 50 ବର୍ଷରୁ ପାଖାପାଖି 110 ପରିବାର ବସବାସ କରିଆସୁଛନ୍ତି | ଏହି ବାହାଲପଡା ବାସିନ୍ଦା ଯେଉଁ ରାସ୍ତା ଦେଇ ଦୀର୍ଘ ଦିନରୁ ଯିବାଆସିବା କରୁଥିଲେ ଆଜି ସେହି ରାସ୍ତା ଦେଇ ଯାତାୟାତ ପାଇଁ ସ୍ଥାନୀୟ କିଛି ଉଚ୍ଚ ଜାତିର ଲୋକେ ମନା କରୁଥିବା ଅଭିଯୋଗ ହୋଇଛି । ତେବେ ଗତ 2 ବର୍ଷ ହେଲା ଏଠାକାର କିଛି ଲୋକେ ନାନା ହଇରାଣ କରୁଥିବା ବେଳେ ଏହି ରାସ୍ତା ଦେଇ ଯିବା ଆସିବା କଲେ ଜୀବନରେ ମାରିଦେବାକୁ ଧମକ ଦେଉଥିବା ଅଞ୍ଚଳବାସୀ କହିଛନ୍ତି ।