ଓଡିଶା

odisha

ETV Bharat / state

ପୁରା ଉଆଁସ ପରମ୍ପରାକୁ ବଜାୟ ରଖିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ - ପଶ୍ଚିମ ଓଡ଼ିଶା

ହଳ ଓ ହଳିଆକୁ ସମ୍ମାନିତ କରିବା ପାଇଁ ପଶ୍ଚିମ ଓଡ଼ିଶାରେ ପାଳନ ହୋଇଆସୁଛି ନିଆରା ପର୍ବ । କୃଷିଭିତ୍ତିକ ପର୍ବ ସପ୍ତପୁରୀ ଅମାବାସ୍ୟାରେ ପରମ୍ପରା ଅନୁଯାୟୀ ମାଟି ଓ କାଠରେ ତିଆରି ବଳଦକୁ ପୂଜା କରାଯାଏ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ବରବଡ଼

By

Published : Sep 1, 2019, 2:14 AM IST

ବରଗଡ: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ସପ୍ତପୁରୀ ଅମାବାସ୍ୟା ବା ପୁରା ଉଆଁସ ପର୍ବ ଘରେ ଘରେ ପାଳିତ ହୋଇଯାଇଛି । ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ବରଗଡର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ପଶ୍ଚିମ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବୀତ ରଖିବା ସହ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ।

ଏହିଦିନ ଘରେ ଘରେ ମାଟି ଓ କାଠରେ ତିଆରି ବଳଦକୁ ପୂଜା କରିବାର ବହୁ ପୁରାତନ ପରମ୍ପରା ରହିଛି । ମାତ୍ର ସମୟର ପରିବର୍ତ୍ତନ ସ୍ରୋତରେ ଏହା ହଜିବାକୁ ବସିଲାଣି । ତେବେ ବରଗଡ ଦିବ୍ୟାଙ୍ଗ ସ୍କୁଲର ପିଲାମାନେ ଦୀର୍ଘ ବର୍ଷ ହେବ ଉତ୍ସାହ ଉଦ୍ଦୀପନାର ସହ ଏହାକୁ ପାଳନ କରି ଆସୁଛନ୍ତି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ବରବଡ଼

ସମୟ ବଦଳୁଛି ଆଉ ତା’ସହ ବଦଳୁଛି ମଣିଷର ଜୀବନ ଜୀବିକା । ଏପରି ପରିବର୍ତ୍ତନ ସ୍ରୋତରେ ସଂସ୍କୃତି ଓ ପରମ୍ପରା ମଧ୍ୟ ଲୋପ ପାଇ ବସିଥିବା ବେଳେ ଏଥିରୁ ବାଦ୍ ପଡ଼ିନି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ସପ୍ତପରି ଅମାବସ୍ୟା ବା ପୁରାଉଆଁସ । ଦିନ ଥିଲା ପଶ୍ଚିମ ଓଡିଶାର ପ୍ରତିଟି କୃଷକ ପରିବାରରେ କାଠ ଓ ମାଟିରେ ତିଆରି ବଳଦକୁ ପୁଜା କରାଯାଉଥିଲା ।

ଘରେ ଘରେ ପିଠା ପଣାର ଆସର ଜମୁଥିଲା । ଯେହେତୁ ବଳଦକୁ କୃଷକର ବନ୍ଧୁ ସହ ତୁଳନା କରାଯାଏ ଛୋଟ ଛୋଟ ପୁଅମାନେ କୃଷକ ବେଶରେ ସଜ୍ଜିତ ହୋଇ ମାଟି ବଳଦକୁ ଗାଁ ଦାଣ୍ଡରେ ଟାଣିଥାନ୍ତି । ଝିଅ ମାନେ ସେହି ମାଟି ବଳଦକୁ ସ୍ଥାନେ ସ୍ଥାନେ ପୁଜା କରିଥାନ୍ତି । ଯାହାକୁ ଦିବ୍ୟାଙ୍ଗ ପିଲାମାନେ ବଞ୍ଚାଇ ରଖିଛନ୍ତି ।

ପୁରାତନ କଥା ଅନୁସାରେ ଅକ୍ଷୟ ତୃତୀୟା ଠାରୁ ଚାଷୀ ତାହାର ଚାଷ କାର୍ଯ୍ୟ ଆରମ୍ଭ କରିଥାଏ । ଭାଦ୍ରବ ଅମାବାସ୍ୟା ଦିନ ଚାଷ କାର୍ଯ୍ୟ ସଂପୂର୍ଣ୍ଣ କରିଥାଏ ଚାଷୀ । ତେଣୁ ଏହି ଦିନରେ ସେ ହଳ ଓ ହଳିଆକୁ ସମ୍ମାନିତ କରିବା ପାଇଁ ଏହି ପର୍ବ ପାଳନ କରିଥାଏ ।

ପଶ୍ଚିମ ଓଡିଶାର ଏହି ମହାନ ପରମ୍ପରାକୁ ଆଗକୁ ଆଣିବା ପାଇଁ ଏହି ପିଲାମାନେ ଖୁବ ଧୁମଧାମରେ ପର୍ବକୁ ପାଳନ କରିଛନ୍ତି । ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏଥିରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପାରମ୍ପରିକ କୃଷକ ଭାବେ ସଜ୍ଜିତ ହୋଇଥିଲେ ।

ସହରର ସବୁ ଛକରେ ଏମାନଙ୍କୁ ସ୍ବାଗତ କରାଯାଇଥିଲା । ଦିବ୍ୟାଙ୍ଗ ସ୍କୁଲର ଏପରି ପ୍ରଚେଷ୍ଟାକୁ ସବୁ ମହଲରୁ ପ୍ରଶଂସା କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details