ବରଗଡ: ସହରରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସିଟି ହସପିଟାଲରେ ପରିଣତ କରିବା ପାଇଁ ଦାବି କରି ଜନସାଧାରଣ ଜୋରଦାର ଆନ୍ଦୋଳନ କରିଛନ୍ତି । ରବିବାର ବରଗଡର ଜନସାଧାରଣ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଘର ସମ୍ମୁଖରେ ରାସ୍ତାରୋକ କରି ଆନ୍ଦୋଳନ କରିଥିଲେ । ପୁରୁଣା ଡାକ୍ତରଖାନାରେ ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ଜନସାଧାରଣଙ୍କୁ ବିଧାୟକ ଦେବେଶ ଆଚାର୍ଯ୍ୟ ବୁଝାସୁଝା କରିବା ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ ।
ରବିବାର ବିରୋଧୀ କଂଗ୍ରେସ ଓ ବିଜେପି ଦଳ ପକ୍ଷରୁ ଅନଶନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଜନସାଧାରଣ ରାସ୍ତାକୁ ଓହ୍ଲାଇ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିଥିଲେ । ତେବେ ରାଜ୍ୟ ସରକାର ବରଗଡର ପୁରୁଣା ହସ୍ପିଟାଲକୁ PHC ଘୋଷଣା କରିଥିଲେ ମଧ୍ୟ ସ୍ଥାନୀୟ ଲୋକେ ଏହାକୁ ସ୍ଵୀକାର କରିନାହାଁନ୍ତି । ବରଗଡ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା କରାଯାଉ, ଯେଉଁଥିରେ ଜନସାଧାରଣ ସମସ୍ତ ପ୍ରକାରର ରକ୍ତ ପରୀକ୍ଷାର ସୁବିଧା ସହିତ ୨୪ ଘଣ୍ଟିଆ ଡାକ୍ତର ସେବା ମଧ୍ୟ ପାଇପାରିବେ ବୋଲି ଦାବି କରି ଶତାଧିକ ମହିଳା ଓ ପୁରୁଷ ବିଧାୟକଙ୍କ ଘରକୁ ଘେରିଥିଲେ ।