ବରଗଡ: ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ନିଖୋଜ ହୋଇଯାଇଥିଲେ ବରଗଡ ଜିଲ୍ଲାର ପ୍ରିୟଙ୍କା କୁଦେଇ । ନିଖୋଜ ହେବାର ଆଜକୁ ୯ ବର୍ଷ ବିତିଗଲାଣି । କିନ୍ତୁ ଏବେ ବି ଏହି କୁନି ଝିଅର ପତ୍ତା ପାଇପାରିନି ପୋଲିସ । ଏପଟେ ଝିଅକୁ ଝୁରି ଝୁରି ବାପାମାଆଙ୍କ ଆଖିରୁ ଲୁହ ଶୁଖି ଗଲାଣି । ନିଖୋଜ ପ୍ରିୟାଙ୍କାକୁ ଫେରାଇ ଆଣିବାରେ ପୋଲିସ ବିଭାଗର ସମସ୍ତ ଚେଷ୍ଟା ଯେମିତି ଫେଲ୍ ମାରିଛି । ବିଗତ ୯ ବର୍ଷ ମଧ୍ୟରେ ବରଗଡ ଜିଲ୍ଲା ପୋଲିସ ବିଭାଗରେ କେତେ ଯେ ଏସପି ବଦଳି ହେଲେଣି କିନ୍ତୁ ପ୍ରିୟଙ୍କାଙ୍କୁ ଫେରାଇ ଆଣିବାରେ ଅସଫଳ ପୋଲିସ । ଏ ଘଟଣା ପୋଲିସ ଯେମିତି ଭୁଲିଗଲା ପରି ମନେ ହେଉଥିବା ବେଳେ ପ୍ରିୟଙ୍କାଙ୍କ ବାପାମାଆ ଭୁଲି ପାରିନାହାନ୍ତି ଝିଅର ରହସ୍ୟମୟ ନିଖୋଜ ଘଟଣାକୁ । ଏବେ ବି ଝିଅର ଫେରିବା ବାଟକୁ ଚାତକ ପରି ଚାହିଁ ବସିଛନ୍ତି ।
୨୦୧୪ ମସିହା ଜୁଲାଇ ୨୧ ତାରିଖର ଘଟଣା, ବରଗଡ ଜିଲ୍ଳା ଭେଡେନ ବ୍ଳକ କୁଟେନପାଲି ଗ୍ରାମର ସାଧବ କୁଦେଇଙ୍କ ୧୦ ବର୍ଷର ଝିଅ ପ୍ରିୟଙ୍କା କୁଦେଇ ସବୁଦିନ ପରି ନିଜ ସାଇକେଲ ଯୋଗେ ଭେଡେନସ୍ଥିତ ଅରବିନ୍ଦ ସ୍କୁଲକୁ ପାଠ ପଢିବାକୁ ଆସିଥିଲେ । ଏହାପରେ ସ୍କୁଲ ପାଠ ପଢାସାରି ସନ୍ଧ୍ୟା ୫.୪୫ଟା ସମୟରେ ଘରକୁ ବାହାରି ଟିଉସନ ଯାଇଥିଲେ । ଏହା ପରଠାରୁ ପ୍ରିୟଙ୍କା ଆଉ ଘରକୁ ଫେରିନଥିଲେ । ଝିଅର ବିଳମ୍ବ ହେବା ଦେଖି ବାପାମାଆ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ନପାଇବାରୁ ପୋଲିସକୁ ଖବର ଦେଇଥିଲେ । ସେତେବେଳେ ପୋଲିସ ଏହାକୁ ସେତେଟା ଗୁରୁତ୍ୱ ଦେଇନଥିବାରୁ ନିଖୋଜ ଛାତ୍ରୀଙ୍କ କୌଣସି ଖୋଜ ଖବର ମିଳିନଥିଲା । ଯାହାଫଳରେ ଏହି ଘଟଣା ସମଗ୍ର ଜିଲ୍ଳାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ବ୍ୟାପକ ଆନ୍ଦୋଳନ ମଧ୍ୟ ହୋଇଥିଲା । ତାପର ଠାରୁ ପୋଲିସ ତଦନ୍ତ ଜୋରଦାର କରିଥିଲା ।