ବରଗଡ: ପଶ୍ଚିମ ଓଡିଶା ବାସୀଙ୍କ ପାଇଁ ଗଙ୍ଗାଧର ମେହେର ଉଠା ଜଳ ସେଚନ ପ୍ରକଳ୍ପ ମରିଚିକା ସଦୃଶ ହୋଇଛି । ନିର୍ବାଚନ ସମୟରେ କେବଳ ମୁଖ୍ୟମନ୍ତ୍ରୀ ଗଙ୍ଗାଧର ମେହେରଙ୍କୁ ମନେ ପକାନ୍ତି ବୋଲି ପଦ୍ମପୁରର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଏକ ପ୍ରେସ୍ ଇସ୍ତାହାରରେ କଟାକ୍ଷ କରିଛନ୍ତି । ଗୋଟେ ପ୍ରକଳ୍ପକୁ ଦୁଇ ଦୁଇ ଥର କ୍ୟାବିନେଟରେ ମଞ୍ଜୁରୀ କରାଯାଉଛି ମାତ୍ର କାମ ଶୂନ୍ୟ ହୋଇ ବୋଲି ସେ କହିଛନ୍ତି । ପ୍ରକଳ୍ପ ନାମରେ ଲୋକଙ୍କୁ କେବଳ ଛଳନା କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି |
‘ପ୍ରତିଶ୍ରୁତିରେ ସୀମିତ ଗଙ୍ଗାଧର ମେହେର ପ୍ରକଳ୍ପ, କେଉଁଠି ବିଜେପୁର ବିକାଶ ?’ ଫେବୃୟାରୀ ୨୦୧୮ରେ ବିଜେପୁର ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ଦେହାନ୍ତ ପରେ ଗତ ଉପ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପର ସ୍ବପ୍ନ ଦେଖାଯାଇଥିଲା । ତର ବରିଆ ଭାବେ କ୍ଯାବିନେଟ ବୈଠକରେ "ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ" କୁ ଅନୁମୋଦନ ମିଳିବା ସହ ୧୩୪୦ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚର ବ୍ୟୟ ଅଟକଳ କରାଯାଇଥିଲା । ୨୫ ହଜାର ୬ ଶହ ହେକ୍ଟର ଜମି ଜଳସେଚିତ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।
୨୦୧୮ -19 ରାଜ୍ୟ ବଜେଟ୍ ରେ ୨ଶହ କୋଟି ଓ ୨୦୧୯ -2020 ବଜେଟରେ ୧ ଶହ କୋଟିର ବ୍ୟବସ୍ଥା କରିଥିଲେ ସରକାର । ବିଜେପୁରରେ ଏହି ପ୍ରକଳ୍ପ ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାପନ କରି ୭ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ୩ ବର୍ଷ ଭିତରେ ୩ ଶହ କୋଟି ରୁ ୩ ଟଙ୍କା ମଧ୍ୟ ଖର୍ଚ୍ଚ ହେଲା ନାହିଁ ଓ ବିଜେପୁର ରେ ସ୍ଥାପିତ କାର୍ଯ୍ୟ ନିର୍ବାହୀ ଅଧିକାରୀ କାର୍ଯ୍ୟାଳୟ ତାଲା ପଡିଥିବା ପ୍ରଦୀପ ପୁରୋହିତ କହିଛନ୍ତି ।
ଆଗକୁ ପଞ୍ଚାୟତ ନିର୍ବାଚନ ଓ ନଗର ପାଳିକା ନିର୍ବାଚନ ଆସୁଥିବାରୁ ପୁଣି ଥରେ ବିଜେପୁର ଭୋଟରଙ୍କୁ ଚକମା ଦେବା ପାଇଁ ପ୍ରକଳ୍ପ କଥା ମନେ ପଡୁଛି ବୋଲି ସେ କହିଛନ୍ତି । ଉପ ନିର୍ବାଚନ ସମୟରେ ଓ ପରେ ୨ଟି ନିର୍ବାଚନ ବେଳେ ବିଜେପୁରର ବିକାଶର ଦାୟିତ୍ବ ନିଜେ ମୁଖ୍ୟମନ୍ତ୍ରୀ ବୁଝିବେ ବୋଲି ଘୋଷଣା କରିଥିଲେ । ତେବେ ଗତ ୩ ବର୍ଷ ଭିତରେ ବିଜେପୁର ନିର୍ବାଚନ ମଣ୍ଡଳୀର କଣ ବିକାଶ କରିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ଦେବାର ସମୟ ଆସିଛି ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ