ବରଗଡ଼: ପଦ୍ମପୁର ଉପନିର୍ବାଚନ(Padampur bypoll) ଯେତେ ପାଖଉଛି, ରାଜନୀତି ତାତି ସେତିକି ବଢିବାରେ ଲାଗିଛି । ରାଜନୈତିକ ଦଳ ମଧ୍ୟରେ ପରସ୍ପରକୁ କାଦୁଅ ଫିଙ୍ଗା ନୀତି ଆରମ୍ଭ ହୋଇଯାଇଛି । ନିର୍ବାଚନକୁ ଆଉ ମାତ୍ର 6 ଦିନ ଥିବାବେଳେ ବର୍ତ୍ତମାନ ଠାରୁ ଯେଉଁଭଳି ପରିସ୍ଥିତି ପଦ୍ମପୁରରେ ଦେଖାଗଲାଣି ଆଗାମୀ ଦିନରେ ପଦ୍ମପୁରରେ ରାଜନୈତିକ ହିଂସା ବ୍ୟାପକ ମାତ୍ରାରେ ହେବାର ସମ୍ଭାବନା ରହିଛି । ପଦ୍ମପୁରରେ ଏପରି ପ୍ରତିଶୋଧ ପରାୟଣ ରାଜନୀତିକୁ ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।
ଉଭୟ ବିଜେଡ଼ି ଓ ବିଜେପି ଦଳ ମଧ୍ୟରେ ଯେଉଁ ଭାବରେ ଆରମ୍ଭରୁ ଆରୋପ ପ୍ରତ୍ୟାରୋପ, କର୍ମୀଙ୍କୁ ଧମକ ଚମକ ପରି ଘଟଣା ସାମ୍ନାକୁ ଆସିଥିଲା ଏବଂ ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ IT ଓ GST ରେଡ଼ ରାଜନୀତି ପଦ୍ମପୁର ସହରରେ ଅଶାନ୍ତିର ବାତାବରଣ ଖେଳାଇଦେଇଛି । ସୋମବାର ବିଜେଡ଼ି ଦଳର 3 ଜଣ କର୍ମୀଙ୍କ ଘରେ IT ବିଭାଗର ରେଡ଼୍ ପରେ ବିଜେପିର ଅନେକ କର୍ମୀଙ୍କ ଛୋଟିଆ ଦୋକାନ ମାନଙ୍କରେ ଆକ୍ରୋଶ ମୂଳକ ଭାବରେ GST ରେଡ଼ କରିବା ଘଟଣାକୁ ନେଇ ପଦ୍ମପୁର ବଣିକ ସଂଘ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାର ବିରୋଧରେ ଆଜି ପଦ୍ମପୁରର ସମସ୍ତ ଦୋକାନ ବଜାର ବନ୍ଦ କରି ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ତେବେ ଏସ୍ପିଙ୍କ ସହ ଆଲୋଚନା ପରେ ବନ୍ଦ ଡାକରାକୁ ସଂଘ ପ୍ରତ୍ୟାହାର କରିନେଇଥିବା ଘୋଷଣା କରିଛି ।