ବରଗଡ:ଜିଲ୍ଲାରେ ଜୋରଦାର ଚାଲିଛି ନକଲି ସାର, କୀଟନାଶକ, ବିହନ ଓ ନକଲି ଔଷଧ କାରବାର । ବରପାଲି ନିକଟସ୍ଥ ତୁଲଣ୍ଡି ଗ୍ରାମର ଜନୈକ ବ୍ୟକ୍ତିଙ୍କ ନକଲି ସାର ଗୋଦାମ ଉପରେ କୃଷି ବିଭାଗ ପକ୍ଷରୁ ଚଢ଼ାଉ । ଗତ ତିନି ଦିନ ତଳେ ବରପାଲି କାଇଁଶିର ନିକଟରେ ଏକ ପିକଅପ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହେବାପରେ ସ୍ଥାନୀୟ ଲୋକେ ସହାୟତା କରିବାକୁ ଚାହିଁବାରୁ ଡ୍ରାଇଭର ମନା କରିଥିଲା । ଫଳରେ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା । ଏହି ସମୟରେ ଏକ ଟ୍ରାକ୍ଟର ଆସି ପିକଅପରୁ ବସ୍ତା ସବୁ ନେଇ ଯାଉଥିବା ବେଳେ କିଛି ଯୁବକ ଟ୍ରାକ୍ଟରକୁ ପିଛା କରିଥିଲେ । ଏହା ତୁଲଣ୍ଡି ଗ୍ରାମର ମୋହନ ବାରିକଙ୍କ ଗୋଦାମକୁ ଯାଉଥିବାର ଜାଣିବାକୁ ପାଇଥିଲେ । ଯୁବକମାନଙ୍କର ସନ୍ଦେହ ହେବାରୁ ସେମାନେ ତୁରନ୍ତ କୃଷି ବିଭାଗକୁ ଖବର ଦେଇଥିଲେ ।
ଏହାପରେ ବରଗଡ଼ କୃଷି ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଉକ୍ତ ଗୋଦାମରୁ ୯୦ ବସ୍ତା ସାର ଜବତ କରିଥଲେ । ଏଥିସହ ଗୋଦାମରେ ଖାଲିବସ୍ତା, ଲୁଣବସ୍ତା ଓ ରଙ୍ଗ ଥିବା ଦେଖିବାକୁ ପାଇଥିଲେ । ମାଲିକ ମୋହନ ବାରିକ ଆଉକିଛି ବସ୍ତାକୁ ନିଆଁରେ ପୋଡ଼ି ଦେଇଥିଲେ । ତେବେ ଏନେଇ ଜବତ ପଟାସ ସାରକୁ ବରପାଲି ଏଫସିଆଇ ଗୋଦାମରେ ରଖି ସାରର ନମୁନା ପରୀକ୍ଷାଗାରକୁ ପଠାଯିବ ବୋଲି ତଦନ୍ତକାରୀ ଅଫିସର ସୂଚନା ଦେଇଥିଲେ । ଏଥିସହ ରିପୋର୍ଟ ଆସିବା ପରେ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଦୀର୍ଘବର୍ଷରୁ ଏଠାରେ ନକଲି ସାର ପ୍ରସ୍ତୁତ କରାଯାଉଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ଏପରି ସାଂଘାତିକ କାର୍ଯ୍ୟରେ ଲିପ୍ତଥିବା ଦୋଷୀଙ୍କୁ କଠୋର ଦଣ୍ଡ ଦେବାପାଇଁ ସବୁ ମହଲରୁ ଦାବି ହୋଇଛି ।