ବରଗଡ଼: ଜିଲ୍ଲା ସରକାରୀ ଡାକ୍ତରଖାନାରୁ ଚୋରି ହେଉଛି ମେଡ଼ିସିନ । କୌଣସି ବାହାର ବ୍ୟକ୍ତି ନୁହେଁ, ଖୋଦ ବିଭାଗୀୟ କର୍ମଚାରୀ ମେଡିସିନ ଚୋରି କରିଥିବା ଅଭିଯୋଗ ହୋଇଛି । ଡାକ୍ତରଖାନାରୁ ମେଡିସିନ ଚୋରି କରି ନେଉଥିବା ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଫାର୍ମାସିଷ୍ଟ ଧରାପଡ଼ିଛନ୍ତି । ଚୋରି ଧରାପଡିବା ପରେ ଫାର୍ମାସିଷ୍ଟ ଜଣକ ନିଜ ଦୋଷ ସ୍ଵୀକାର କରିବା ସହିତ କ୍ଷମା ପ୍ରାର୍ଥନା କରିଛନ୍ତି । ସମ୍ପୃକ୍ତ ଫାର୍ମାସିଷ୍ଟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ନେଇ ବରଗଡ଼ CDMO ଚାରୁବାଳା ରଥ ସୂଚନା ଦେଇଛନ୍ତି ।
ସରକାରୀ ଡାକ୍ତରଖାନାରୁ ମେଡ଼ିସିନ ଚୋରି କରି ଧରାପଡ଼ିଲେ ଫାର୍ମାସିଷ୍ଟ - ବରଗଡ଼ ସରକାରୀ ଡାକ୍ତରଖାନାରୁ ମେଡ଼ିସିନ ଚୋରି
ବରଗଡ଼ ଜିଲ୍ଲା ସରକାରୀ ଡାକ୍ତରଖାନାରୁ ଚୋରି ହେଉଛି ମେଡ଼ିସିନ । ଡାକ୍ତରଖାନାର ଫାର୍ମାସିଷ୍ଟ ମେଡିସିନ ଚୋରି କରି ଅନ୍ୟତ୍ର ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ
ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା କଥା କହିଲେ ନସରେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ, ରକ୍ତ ପରୀକ୍ଷା ପାଇଁ ଟେକନିସିଆନ ଅଭାବ , ବିଦ୍ୟୁତ ନଥିଲେ ଏକ୍ସରେ ହୋଇପାରୁନାହିଁ । ବିଦ୍ୟୁତ ଥିଲେ ମଧ୍ୟ 12ଟା ପରେ ଏକ୍ସରେ କରାଯାଉନାହିଁ । 6 ମହଲା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କ୍ଷେତ୍ରରେ ବ୍ୟାପକ ଅବହେଳା ରହିଥିବା ବେଳେ ବର୍ତ୍ତମାନ ଏହି ହସ୍ପିଟାଲରୁ ଔଷଧ ସାମଗ୍ରୀ ଚୋରି କରାଯାଇ ଅନ୍ୟତ୍ର ବିକ୍ରି କରାଯିବା ଭଳି ସାଂଘାତିକ ଅଭିଯୋଗ ଆସିଛି । ଯାହାକୁ ବରଗଡ଼ବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ ନିର୍ମଳ ପ୍ରଧାନ ଏପରି ଚୋରି କରୁଥିବା ବେଳେ ସିକ୍ୟୁରିଟି ଗାର୍ଡଙ୍କ ହାତରେ ଧରା ପଡିଛନ୍ତି । ମେଡ଼ିସିନ ଭର୍ତ୍ତି ବସ୍ତା ଖୋଲିବା ପରେ ସେଥିରୁ ଦାମୀ ଔଷଧ, ସିରଫ, ସାଲାଇନ୍, ଇଞ୍ଜେକ୍ସନ, ଡ୍ରଫ୍ ବାହାରିଥିଲା ।
ମେଡ଼ିସିନ ଗୁଡିକରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କୌଣସି ଲୋଗୋ ନଥିବାରୁ ନିରାମୟରୁ ଚୋରି କରି ବାହାରେ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ରାଜ୍ୟ ସରକାର ନିରାମୟ ଯୋଜନା ମାଧ୍ୟମରେ ଗରିବ ଅସହାୟଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ମାତ୍ର ଏପରି ଅସାଧୁ କର୍ମଚାରୀଙ୍କ ପାଇଁ ସାଧାରଣ ଅସହାୟ ରୋଗୀ ଏହି ଔଷଧ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅବଗତ ଥିବା କହିଛନ୍ତି । CDMO ଚାରୁବାଳା ରଥ କହିଛନ୍ତି, "ଏହି ଘଟଣାର ତଦନ୍ତ କରାଯିବା ପରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଗକୁ ଯେପରି ଏଭଳି କାର୍ଯ୍ୟ ନହୁଏ, ସେଥିପ୍ରତି ଗୁରୁତ୍ବ ଦିଆଯିବ ।" ଅନ୍ୟପଟେ ବରଗଡ଼ ବୁଦ୍ଧିଜୀବି ମହଲରେ ମଧ୍ୟ ଏହି ଘଟଣାକୁ ବ୍ୟାପକ ନିନ୍ଦା କରାଯିବା ସହିତ ସମ୍ପୃକ୍ତ ଫାର୍ମାସିଷ୍ଟଙ୍କୁ ନିଲମ୍ବିତ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
ଇଟିଭି ଭାରତ, ବରଗଡ଼