ବରଗଡ:ଭଉଣୀର ମାନସିକ ପୁରା ହେଲା, ଭାଇ ଦେଶ ପାଇଁ ଆଣିଲେ ସ୍ବର୍ଣ୍ଣ ପଦକ । ଜାପାନର ଟୋକିଓରେ ଚାଲିଥିବା ପାରାଲମ୍ପିକ୍ସ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଣି ଦେଶର ନାମ ରଖିବାକୁ ଦେବୀ ଦୁର୍ଗାଙ୍କ ଠାରେ ଶୁଭ ମନାସି ଥିଲେ ପ୍ରମୋଦ ଭଗତଙ୍କର ସାନ ଭଉଣୀ । ଆଜି ତାଙ୍କର ମାନସିକ ପୁରା ହେବାପରେ ମାଁ ଦୁର୍ଗାଙ୍କ ନିକଟରେ ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ପହଞ୍ଚିଲେ ପ୍ରମୋଦ ଭଗତଙ୍କର ସାନ ଭଉଣୀ ଗୌରୀ ଭଗତ ।
ବିଦେଶ ମାଟିରେ ସ୍ଵର୍ଣ୍ଣ ପଦକ ଜିତି ଦେଶ ପାଇଁ ଖୁସିର ମାହୋଲ ଆଣିଦେଇଥିବା ପ୍ରମୋଦ ଭଗତଙ୍କର ନିଜ ଜନ୍ମ ମାଟି ବରଗଡ଼ ଜିଲ୍ଲାର ଅତାବିରାରେ ଆଜି ଉତ୍ସବର ମାହୋଲ ଦେଖାଦେଇଥିଲା । ରାସ୍ତାଉପରେ ଲୋକେ ଜାତୀୟ ପତାକା ଧରି ବାଣ ଫୁଟାଇ ମିଷ୍ଟାନ୍ନ ବଣ୍ଟନ କରୁଥିବା ବେଳେ ପ୍ରମୋଦଙ୍କର ସାନ ଭଉଣୀ ଏପରି ଖୁସିର ସମୟରେ ଦେବୀ ମାଁ ଦୁର୍ଗାଙ୍କ ନିକଟକୁ ପହଞ୍ଚିଥିଲେ।