ଓଡିଶା

odisha

ETV Bharat / state

ପଦ୍ମପୁର ଅପହରଣ ମାମଲା, 11 ଅଭିଯୁକ୍ତ ଗିରଫ - ପଦ୍ମପୁର ଅପହରଣ ମାମଲା

ସ୍ଥାନୀୟ ପଦ୍ମପୁର ଅଞ୍ଚଳରେ ଅପହରଣ ମାମଲାରେ ପୋଲିସକୁ ମିଳିଛି ସଫଳତା । ଗିରଫ ହୋଇଛନ୍ତି ସମ୍ପୃକ୍ତ 11 ଅଭିଯୁକ୍ତ ।

padmapur kidnap case, bargarh kidnap case update, accussed arrested in bargarh kidnap case, ବରଗଡ ଅପହରଣ ମାମଲା ଅପଡେଟ, ପଦ୍ମପୁର ଅପହରଣ ମାମଲା, ବରଗଡ ଅପହରଣ ମାମଲାରେ ଅଭିଯୁକ୍ତ ଗିରଫ
ପଦ୍ମପୁର ଅପହରଣ ମାମଲା, ସମ୍ପୃକ୍ତ 11 ଅଭିଯୁକ୍ତ ଗିରଫ

By

Published : Dec 15, 2019, 8:23 AM IST

ବରଗଡ: ସ୍ଥାନୀୟ ପଦ୍ମପୁର ଅଞ୍ଚଳରେ ଅପହରଣ ମାମଲାରେ ପୋଲିସକୁ ମିଳିଛି ସଫଳତା । ଗିରଫ ହୋଇଛନ୍ତି ସମ୍ପୃକ୍ତ 11 ଅଭିଯୁକ୍ତ । ଏହି ଅଞ୍ଚଳରେ ବ୍ୟାପକ ମାତ୍ରାରେ କଫ ସିରପ ବ୍ୟାପାର ଚାଲିଥିବା ବେଳେ ଏହି ବେଆଇନ କାରବାରକୁ ନେଇ ନିଶା ମାଫିଆଙ୍କ ଭିତରେ ସୃଷ୍ଟି ହୋଇଥିଲା ବିବାଦ । ଏଥିରେ 3 ଜଣଙ୍କୁ ଅପହରଣ କରି ପରିବାର ଲୋକଙ୍କୁ ଲକ୍ଷାଧିକ ଟଙ୍କା ଦାବି କରିବା ଅଭିଯୋଗରେ ପୋଲିସ 11ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ପଦ୍ମପୁର ଅପହରଣ ମାମଲା, 11 ଅଭିଯୁକ୍ତ ଗିରଫ

ଗିରଫ ଅଭିଯୁକ୍ତମାନେ ହେଲେ ବରପାଲିର ଶେଖ ଅପସରା, କାଳିଆ ବାଗ, ରାଜୁ ମେହେର, ସୂରଜ ଦାଶ, ଡୁମେରମୁଣ୍ଡାର ଜୟ ପ୍ରଧାନ, ସୋହେଲାର ଜିତେନ୍ଦ୍ର ସିଂ ଠାକୁର, ପିପିଲିପାଲିର ଦ୍ବାରିକା ପ୍ରସାଦ ସାହୁ, ଜଗପତି ସାହୁ, ଡୁମେରପାଲିର ପ୍ରଦୀପ ସାହୁ, ଜମିଦାରପଡାର ରଞ୍ଜନ ପ୍ରଧାନ ଏବଂ ସାହାଜବାହାଲର ସତ୍ୟମ ଦୋରା । ତେବେ ଅଭିଯୁକ୍ତମାନଙ୍କଠାରୁ ପୋଲିସ 3ଟି ଚାରି ଚକିଆ ଗାଡି, 2ଟି ବାଇକ, 11ଟି ମୋବାଇଲ ଏବଂ ଗୋଟିଏ ଖେଳଣା ବନ୍ଧୁକ ଜବତ କରିଛି ।

ପୋଲିସ ହାତରେ ଧରା ପଡିଥିବା 11 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 6 ଜଣ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାମାନଙ୍କରେ ପୂର୍ବରୁ ମଧ୍ୟ ବହୁ ଅପରାଧିକ ମାମଲା ରହିଥିବା ବରଗଡ ଏସପି ପଦ୍ମିନୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ପଦ୍ମପୁର ଅଞ୍ଚଳରୁ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପୁଅ ଅମର ପ୍ରସାଦ ସେଠୀ, ସୁଶାନ୍ତ ବାଗ ଏବଂ କ୍ଷୀରୋଦ ସାହୁଙ୍କୁ ଅପହରଣ କରି ନେଇଥିଲେ ।

ଅପହରଣ ପରେ ସେମାନଙ୍କୁ ଗୋପନୀୟ ସ୍ଥାନରେ ରଖି ତାଙ୍କର ପରିବାର ଲୋକଙ୍କୁ ଫୋନରେ ଦେଢ ଲକ୍ଷ ଟଙ୍କା ଲେଖାଏଁ ଦାବି କରିଥିଲେ ଏବଂ ଦାବି ମୁତାବକ ଟଙ୍କା ନ ଦେଲେ ଉଭୟଙ୍କୁ ମାରି ଦିଆଯିବ ବୋଲି ଧମକ ଦେଇଥିଲେ । ତେବେ ଏନେଇ ଉଭୟ ଅପହୃତଙ୍କ ପରିବାର ଲୋକେ ପୋଲିସକୁ ଫୋନରେ ଜଣାଇଥିଲେ ଏବଂ ବରପାଲି ଅଞ୍ଚଳରୁ ପୋଲିସ ଅପହୃତଙ୍କୁ ଉଦ୍ଧାର କରିବା ସହିତ ଏହି ଅପହରଣ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ତେବେ କଫ ସିରପ କାରବାରରୁ ଅଭିଯୁକ୍ତମାନେ ଏଭଳି ଅପହରଣ କରି ଟଙ୍କା ଦାବି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଏସପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details