ବରଗଡ଼:ପଦ୍ମପୁର ଉପନିର୍ବାଚନ ପାଇଁ (Padmapur Bypoll) ପ୍ରଚାର କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପାଇକମାଳ ଠାରେ ଜନସଭାକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ (Union Railway minister open challenge to State Govt) । ରାଜ୍ୟ ସରକାର ଜାଗା ଦେଉନଥିବାରୁ ରେଳକାମ ଅଟକି ରହିଛି । ତେବେ କାଲି ଜାଗା ଦେଲେ ପରଦିନ କାମ ଆରମ୍ଭ ହେବ ବୋଲି କହି ନିର୍ବାଚନ ମଣ୍ଡଳୀରେ ଗର୍ଜିଛନ୍ତି ଅଶ୍ବିନୀ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡିଶାର ମନ୍ତ୍ରୀ ଟୁକୁନି ସାହୁ ଓ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଡା ଜବାବ ଦେଇଛନ୍ତି ।
ରାଜ୍ୟର ଅନେକ ସ୍ଥାନରେ ରେଳପଥ ନିର୍ମାଣ ହୋଇସାରିଥିବା ବେଳେ ବରଗଡରୁ ନୂଆପଡା ରେଳପଥ ନିର୍ମାଣ ଯୋଜନା ଆଜିଯାଏ ପଡିରହିଛି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । କାରଣ ଏଠାକାର ସରକାର ରେଳପଥ ପାଇଁ ଜାଗା ଦେଇପାରୁନାହାନ୍ତି ସେ କହିଛନ୍ତି । "ଓଡିଶା ସରକାର କାଲି ଜାଗା ଦିଅନ୍ତୁ କେନ୍ଦ୍ର ସରକାର ପରଦିନ ରେଳପଥ ନିର୍ମାଣ କାମ ଆରମ୍ଭ କରିବ । ସମସ୍ତେ ଜାଣିଛନ୍ତି ଯେ ଜାଗା ନହେଲେ କାମ ହୋଇପାରିବ ନାହିଁ ଏବଂ ଜାଗା ଚିହ୍ନଟ କରିବା ଦାୟିତ୍ଵ ରାଜ୍ୟ ସରକାରଙ୍କର । କିନ୍ତୁ ଉପନିର୍ବାଚନରେ ପଦ୍ମପୁରବାସୀଙ୍କୁ ମିଛ କହି ଭୋଟ ହାତେଇବାକୁ ରେଳପତ୍ର ନିର୍ମାଣ କାମ କେନ୍ଦ୍ର ବା ବିଜେପି ସରକାର କରୁନାହିଁ ବୋଲି କହୁଛନ୍ତି । ତେବେ ପଦ୍ମପୁରରେ ଆସନ୍ତା ୫ ତାରିଖରେ ପଦ୍ମ ଚିହ୍ନକୁ ଭୁଲିବେ ନାହିଁ ଏବଂ ପ୍ରଦୀପ ପୁରୋହିତଙ୍କୁ ଆଶୀର୍ବାଦ କରି ଏହି ଅଞ୍ଚଳର ବିକାଶ ପାଇଁ ଲୋକେ ଆଗେଇ ଆସନ୍ତୁ" ବୋଲି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ।
କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ଆହୁରି କହିଛନ୍ତି, "ଓଡ଼ିଶା ରେଳ ପ୍ରକଳ୍ପ ପାଇଁ ମୋଦି ସରକାର ୧୦ ହଜାର କୋଟି ମଞ୍ଜୁର କରିଛନ୍ତି । ଓଡ଼ିଶାର ସବୁ ଜିଲ୍ଲାରେ ରେଳ ଲାଇନ ବିଛାଇବାକୁ ପ୍ରଧାନମନ୍ତ୍ରୀ ମୋଦି ଲକ୍ଷ୍ୟ ରଖିଛନ୍ତି । ଗତ ବର୍ଷ ଓଡ଼ିଶାରେ ୧୮୦ କିମି ନୂଆ ରେଳ ଲାଇନ ତିଆରି ହୋଇଛି । ଚଳିତ ବର୍ଷ ଆହୁରି ୪ ମାସ ବାକିଥିଲା ବେଳେ ୨୩୦ କିମି କାମ ସରିଲାଣି । ମାତ୍ର ରାଜ୍ୟ ସରକାର ଜାଗା ଦେଉନଥିବାରୁ କାମ ଅଟକି ରହିଛି । ଜାଗା ଦେଲେ ସିନା ଷ୍ଟେସନ, ବ୍ରିଜ୍ ଓ ନୂଆ ଲାଇନ ନିର୍ମାଣ ହେବ ।"