ବରଗଡ:ଉପନିର୍ବାଚନକୁ (Padampur bypoll) ନେଇ ପଦ୍ମପୁରରେ ବଢୁଛି ତାତି । ଚାଷୀ ସମସ୍ୟା, ରେଳ ଇତ୍ୟାଦି ବିଭିନ୍ନ ପ୍ରସଙ୍ଗରେ ବିଜେପି ଓ ବିଜେଡି ମଧ୍ୟରେ ଲାଗିଥିବା ଟଣାଓଟରା ରାଜନୀତିକୁ ସରଗରମ୍ କରିଛି । ପ୍ରଚାର ପାଇଁ ଏବେ ଉଭୟ ଦଳର ହେଭିୱେଟ ନେତାମାନେ ପଦ୍ମପୁରରେ ଡେରା ପକାଇଛନ୍ତି । ସାଧାରଣ ସଭା କରି ଉଭୟ ଦଳର ନେତାମାନେ ପରସ୍ପର ବିରୁଦ୍ଧରେ କଟୁ ମନ୍ତବ୍ୟ ଦେଉଛନ୍ତି । ତେବେ ଦଳ ଦଳ ମଧ୍ୟରେ ଚାଲିଥିବା ଏହି ଆରୋପ ପ୍ରତ୍ୟାରୋପ ଏବେ ବ୍ୟକ୍ତିଗତ ଆକ୍ଷେପରେ ପହଞ୍ଚିଲାଣି । ପଦ୍ମପୁରରେ ବିଜୟକୁ ନେଇ ଦମ୍ଭ ଦେଖାଉଥିବା ଦୁଇ ଦଳର ହେଭିୱେଟମାନେ ପରସ୍ପରକୁ ଖୋଲା ଚ୍ୟାଲେଞ୍ଜ କରୁଥିବାର ଦେଖାଯାଉଛି ।
ଗତକାଲି ବରଗଡ ସାଂସଦ ସୁରେଶ ପୂଜାରୀ ବିଜେପିର ନିର୍ବାଚନୀ ପ୍ରଚାରରେ ବିଜେଡି ନେତା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ଟାର୍ଗେଟ କରିଥିଲେ । ତାଙ୍କୁ କାଟକ୍ଷ ପୂର୍ବକ କହିଥିଲେ ଯେ, ''ବରଗଡର ଜଣେ ବିଧାୟକ ଅଛନ୍ତି ତାଙ୍କ ନାଁ ସୁଶାନ୍ତ ସିଂ । ନାଁ ସିନା ତାଙ୍କର ସିଂ, ହେଲେ ସେ ସିଂହ ପରି କାମ କରିନାହାନ୍ତି । ବିଜେଡି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ ହେଲେ ଇସ୍ତଫା ଦେଇଦେବେ ବୋଲି ସୁଶାନ୍ତ ସିଂ କହିଥିଲେ । ଏହାର ଅର୍ଥ ବରଗଡରେ ଆଉ ଗୋଟିଏ ଉପନିର୍ବାଚନ ହେବାକୁ ଯାଉଛି ।'' ବରଗଡ ସାଂସଦ ଏପରି କଟାକ୍ଷ କରିବା ସହ ଇସ୍ତଫା ଦେବାକୁ ପ୍ରସ୍ତୁତ ରୁହ ବୋଲି ବିଜେଡି ବିଧାୟକଙ୍କ ଉଦ୍ଦେଶ୍ୟରେ କହିଥିଲେ ।
ଏହାମଧ୍ୟ ପଢନ୍ତୁ: Padmapur By Poll: ସୁଶାନ୍ତ ସିଂଙ୍କୁ ଟାର୍ଗେଟ କଲେ ବରଗଡ଼ ସାଂସଦ