ବରଗଡ:ରାଜ୍ୟରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି ।ଏହାରି ଭିତରେ ହିନ୍ଦୁ ଦେବାଦେବୀଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି । କେତେବେଳେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଭାଙ୍ଗିବା ପରି ଘଟଣା ସାମନାକୁ ଆସୁଛି ତ ଆଉ କେତେବେଳେ ମନ୍ଦିର ମାନଙ୍କରେ ଚୋରି ଘଟଣା ଘଟୁଛି । ବରଗଡ ସହର ଭିତରେ ରହିଥିବା ଅନେକ ମନ୍ଦିରରେ ଗତ କିଛି ଦିନ ତଳେ ମନ୍ଦିରରୁ ଚୋରି ହୋଇଥିବା ଘଟଣା ସାମନାକୁ ଆସିଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ବରଗଡ ଜିଲ୍ଲା ବରପାଲି କେନାଲ ରୋଡରେ ନୂତନ ଭାବରେ ପ୍ରତିଷ୍ଠା ହୋଇଥିବା ଶିରିଡି ସାଇ ମନ୍ଦିରରେ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ଆସିଛି । ସାଇ ମନ୍ଦିରର ପୂଜକ ରୁଦ୍ର ନାରାୟଣ ଦାଶ ଏନେଇ ବରପାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ବରଗଡ ଜିଲ୍ଲା ବରପାଲି କେନାଲ ରୋଡରେ ନୂତନ ଭାବେ ପ୍ରତିଷ୍ଠିତ ସାଇ ମନ୍ଦିରରୁ ଚୋରି ହୋଇଥିବା ହୋଇଥିବା ନେଇ ସକାଳୁ କବାଟ ଖୋଲିବା ପରେ ପୂଜକ ଜାଣିବାକୁ ପାଇଥିଲେ । ମନ୍ଦିର ପୂଜକ ପ୍ରତିଦିନ ଭୋର୍ ୫ଟାରେ ମନ୍ଦିର ଖୋଲି ପୂଜା କରିବାକୁ ଆସିଥାନ୍ତି । ତେବେ ବୁଧବାର ସେ ପୂଜା କରିବା ପାଇଁ ଆସିବା ବେଳେ ଦେଖିବାକୁ ପାଇଲେ ଯେ ମନ୍ଦିରର ମୁଖ୍ୟ ଦ୍ଵାର ଖୋଲା ରହିଛି । ଶିକୁଳି କାଟି କେହି ଭିତରେ ପଶି ଚୋରି କରି ଥିବା ସନ୍ଦେହ କରି ଭିତରକୁ ଯାଇ ଦେଖିଲା ବେଳକୁ ବାବାଙ୍କ ରୂପା ମୁକୁଟ ଓ ଗଣେଶଙ୍କ ରୂପା ମୁକୁଟ ତଥା ଦାନ ବାକ୍ସ ନଥିବା ଦେଖିଥିଲେ । ଏନେଇ ସେ ତୁରନ୍ତ ସେ ମନ୍ଦିର କମିଟିର ସଭ୍ୟମାନଙ୍କୁ ଫୋନ୍ ଯୋଗେ ଜଣାଇ ଥିଲେ ।