ବରଗଡ: ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ସରକାରୀ ଯୋଜନାରେ ଘରଟିଏ ପାଇଁ ବହୁ ଗରିବଙ୍କୁ ଦେବାକୁ ପଡୁଛି ହାତଗୁଞ୍ଜା । ନହେଲେ ମିଳୁନାହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଏପରି ଅଭିଯୋଗ ଆସୁଛି ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅଞ୍ଚଳରୁ ।
ଏମିତି ଏକ ଦୃଷ୍ଟାନ୍ତ ପାଇକମାଳ ବ୍ଲକ କାଂସଡା ଗ୍ରାମ ପଞ୍ଚାୟତ ବରପାଳି ଗ୍ରାମରେ ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଉଦେ ମହାନନ୍ଦ ଜଣେ ଗରିବ ବ୍ୟକ୍ତି । 6 ମାସ ତଳେ ଗ୍ରାମ ପଞ୍ଚାୟତ ପିଅନ ଆସି ଉଦେଙ୍କଠାରୁ ପ୍ରଧାନମନ୍ତ୍ରୀ ଆବାସ କରାଇ ଦେବା ନେଇ ଆଧାର କାର୍ଡ, ଭୋଟର କାର୍ଡ, ବ୍ୟାଙ୍କ ପାସବୁକ୍ ଜେରକ୍ସ କପି ସହ 1 ହଜାର ଟଙ୍କା ନେଇଥିଲେ । ଅବଶିଷ୍ଟ 9 ହଜାର ଟଙ୍କା କାର୍ଯ୍ୟାଦେଶ ପାଇଲା ପରେ ଦେବାକୁ କହିଥିଲେ । ତାଙ୍କୁ ଇଓ ପଠାଇଛନ୍ତି ବୋଲି ସେ କହିଥିଲେ । ଏହାସହ ଶୀଘ୍ର ପୁରୁଣା ଘର ଭାଙ୍ଗି ନୂଆ ଘର ତିଆରି ପାଇଁ ପ୍ରସ୍ତୁତ ରୁହ କହି ଟଙ୍କା ଓ କାଗଜପତ୍ର ଧରି ପିଅନ ଜଣକ ଫେରି ଯାଇଥିଲେ ।