କଟକ: ଆଦିବାସୀ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିବା ମାମଲାରେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ଅତାବିରା ଆଇଆଇସିଙ୍କୁ ଏହି ନୋଟିସ୍ ଜାରି କରିଛନ୍ତି ଓଏଚଆରସି । ଜଣେ ଯୁବକଙ୍କୁ କିଛି ଲୋକ ଏକ ଖୁଣ୍ଟରେ ବାନ୍ଧି ରାତିସାରା ନିର୍ଯାତନା ଦେବା ଘଟଣାର ୨ ବର୍ଷ ପରେ ମଧ୍ୟ ବରଗଡ ଜିଲ୍ଲା ଅତାବିରା ଥାନା ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ।
ସୂଚନା ଅନୁସାରେ ଲସ୍ତାଲା ଗ୍ରାମର ୨୬ ବର୍ଷୀୟ ଆଦିବାସୀ ଯୁବକ ଜୟନ୍ତ ବାଗଙ୍କୁ ସେହି ଗାଁର କିଛି ଲୋକ ୨୦୨୦ ମସିହା ଏପ୍ରିଲ ୪ ତାରିଖ ରାତିରେ ଧରି ନିର୍ଧୁମ ପିଟିଥିଲେ । ରାତିସାରା ଏକ ଖୁଣ୍ଟରେ ବାନ୍ଧି ତାଙ୍କୁ ମାଡ ମରାଯାଇଥିଲା । ପରଦିନ ସକାଳେ ଜୟନ୍ତଙ୍କ ମା ଓ ସ୍ତ୍ରୀ ତାଙ୍କୁ ସେଠାରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସୁସ୍ଥ ହେବା ପରେ ସେ ତାଙ୍କ ଗାଁର ତିନି ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତମାନେ ତାଙ୍କୁ ମାଡ ମାରୁଥିବାର ଭିଡିଓ ମଧ୍ୟ ପୋଲିସକୁ ଦେଖାଇଥିଲେ ।