ଓଡିଶା

odisha

By

Published : Aug 23, 2019, 7:09 PM IST

ETV Bharat / state

ଅସମ୍ଭବକୁ ସମ୍ଭବ କଲେ ଓଡିଆ ପୁଅ, ଭାରତ ସରକାର ଦେବେ ଅର୍ଜୁନ ପୁରସ୍କାର

କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଆ ପୁଅ ପ୍ରମୋଦ ଭଗତଙ୍କୁ ମିଳିବ ସମ୍ମାନଜନକ ଅର୍ଜୁନ ପୁରସ୍କାର । ଆସନ୍ତା ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସରେ ରାଷ୍ଟ୍ରପତି ଭବନରେ ମହାମହୀମ ରାଷ୍ଟ୍ରପତି ପ୍ରମୋଦଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବରଗଡ

ବରଗଡ: ଆମ ଦେଶରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କ୍ରୀଡାବିତଙ୍କୁ ମିଳେ ସମ୍ମାନଜନକ ଅର୍ଜୁନ ପୁରସ୍କାର । ଚଳିତ ବର୍ଷ ମଧ୍ୟ କ୍ରୀଡାରେ ଦେଶ ପାଇଁ ଗୌରବ ଆଣିଥିବା ଅନେକ ଖେଳାଳିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବରଗଡ

ତେବେ ଆସନ୍ତା ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସରେ ରାଷ୍ଟ୍ରପତି ଭବନରେ ଅନ୍ୟ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯିବ । ଏହି ତାଲିକାରେ ଅଛନ୍ତି ଓଡିଶାର ବରଗଡ ଜିଲ୍ଲା ଅତାବିରାର ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ । ଏନେଇ ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଓଡିଶା ପୁଅକୁ ଏହି ସମ୍ମାନଜନକ ପୁରସ୍କାର ମିଳିବା ନେଇ ଘୋଷଣା ପରେ ସମଗ୍ର ଓଡିଶା ତଥା ଅତାବିରା ଅଞ୍ଚଳରେ ଖୁସିର ଲହରୀ । ପ୍ରମୋଦଙ୍କ ଅଭାବି ପରିବାରରେ ଦେଖିବାକୁ ମିଳିଛି ଖୁସିର ମାହୋଲ । ଅତାବିରାରେ ରହୁଥିବା ପ୍ରମୋଦଙ୍କ ଭାଇ ଓ ବିହାରରେ ରହୁଥିବା ପ୍ରମୋଦଙ୍କ ମାଁ ବେସ ଖୁଶି ଓ ଗର୍ବିତ ବୋଲି କହିଛନ୍ତି ।

ଭିନ୍ନକ୍ଷମ ହୋଇ ମଧ୍ୟ ପ୍ରମୋଦ ନିଜ ଗୋଡରେ ନିଜେ ଛିଡା ହୋଇପାରିଛନ୍ତି । ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି | ସେ ବହୁ ସ୍ଵାଭାବିକ ଦକ୍ଷ ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କୁ ଟୁର୍ଣ୍ଣାମେଣ୍ଟରେ ପରାସ୍ତ କରିଛନ୍ତି । ପିଲା ଦିନରୁ କଠିନ ପରିଶ୍ରମ କାରଣରୁ ପ୍ରମୋଦ ଅସମ୍ଭବକୁ ସମ୍ଭବ କରିଛନ୍ତି | ସମୟ ଥିଲା ଗୋଟେ ବଖରାର ଭଡା ଘରେ ମା, ବାପା, ଭାଇ ଓ ପ୍ରମୋଦ ଏକାସାଙ୍ଗେ ରହୁଥିଲେ । ବହୁ କଷ୍ଟରେ ଦୁଇ ପଇସା ରୋଜଗାର କରି ପରିବାର ଚଳୁଥିଲା | ମାତ୍ର ପ୍ରମୋଦଙ୍କ ବାପା ଦୁନିଆରେ ନାହାନ୍ତି । ମା’ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ନଥିବାରୁ ସେ ବିହାରସ୍ଥିତ ତାଙ୍କ ଘରେ ରହୁଛନ୍ତି । ସାନ ଭାଇ ଅତାବିରାରେ ଏକ ଛୋଟ ମୋବାଇଲ ଦୋକାନରେ କାମ କରନ୍ତି ।

ପ୍ରମୋଦ କେବଳ ଅତାବିରା ବା ବରଗଡ ପାଇଁ ନୁହେଁ ବରଂ ସେ ସାରା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ପ୍ରମୋଦ ଗରିବ ପରିବାରର ହୋଇଥିଲେ ମଧ୍ୟ ଖର୍ଚ୍ଚ ବହୁଳ ଖେଳ ରେ ନିଜକୁ ପାରଙ୍ଗମ କରି, ଆଜି ଅର୍ଜୁନ ପୁରସ୍କାର କୁ ହାତେଇବାରେ ସଫଳ ହୋଇପାରିଛନ୍ତି | ପ୍ରମୋଦ ଏବେ ଅନ୍ତର୍ରାଷ୍ଟ୍ରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାପାଇଁ ସୁଇଜରଲାଣ୍ଡରେ ଅଛନ୍ତି । ପ୍ରବଳ ଇଛାଶକ୍ତି, କଠିନ ପରିଶ୍ରମ ଓ ଦୃଢ ମନୋବଳ ହିଁ ସବୁ ପ୍ରତିବନ୍ଧକଙ୍କୁ ପାର କରି ସଫଳତାର ଶୀର୍ଷରେ ପହଞ୍ଚାଏ ବୋଲି, ପ୍ରମୋଦ ପ୍ରମାଣ କରିଛନ୍ତି ।

ବରଗଡରୁ ସମ୍ବାଦଦାତା ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details