ବରଗଡ଼: ଜିଲ୍ଲାର ପଦ୍ମପୁର ଉପଖଣ୍ଡ ପେଟୁପାଲି ଗ୍ରାମରେ ନବବଧୂ ହତ୍ୟା ଅଭିଯୋଗ ଘଟଣା ସାମ୍ନାକୁ ଆସିଛି । ପେଟୁପାଲି ଗ୍ରାମରେ ନବବଧୂଙ୍କ ମୃତ୍ୟୁ ହୋଇଥିବା ବେଳେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
ପେଟୁପାଲିରେ ନବବଧୂ ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ସୋହେଲା ବ୍ଲକ ପେଟୁପାଲି ଗ୍ରାମର ଅଶୋକ ରାଉତିଆଙ୍କ ପୁତ୍ରବଧୂ ମଞ୍ଜୁ ରାଉତିଆ ଗୁରୁବାର ବିଳମ୍ବିତ ରାତ୍ରିରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ନେଇ ମଞ୍ଜୁଙ୍କ ବାପାଘର ଲୁହୁରାଚଟି ପଣକିପାଲିକୁ ଫୋନ ଯୋଗେ ଜଣାଇଥିଲେ ମଞ୍ଜୁର ସ୍ବାମୀ ମନମୋହନ ରାଉତିଆ । ଖବର ପାଇ ମଞ୍ଜୁଙ୍କ ବାପାଘର ଲୋକେ ପେଟୁପାଲିରେ ପହଞ୍ଚିଥିଲେ । ତେବେ ଫୋନରେ ଖବର ଦିଆଯାଇଥିବା ମୁତାବକ ମଞ୍ଜୁଙ୍କ ମୃତଦେହ ଦଉଡ଼ିରେ ନ ଝୁଲି ଏକ ପଲଙ୍କଖଟରେ ପଡ଼ିରହିଥିବା ଦେଖିବାକୁ ପାଇଥିଲେ ।
ଏନେଇ ସନ୍ଦେହ କରି ମଞ୍ଜୁକୁ ହତ୍ୟା କରାଯାଇଥିବା ମଞ୍ଜୁର ବାପାଘର ଲୋକେ ମେଲଛାମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମେଲଛାମୁଣ୍ଡା ପୋଲିସ ଓ ସୋହେଲା ପୋଲିସ ତଦନ୍ତକାରୀ ଦଳ ସହିତ ଘଟଣାସ୍ଥଳକୁ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ମୃତଦେହ ରହିଥିବା ସ୍ଥାନ ଆଦି ଅନୁସନ୍ଧାନ କରୁଥିବା ଜଣାପଡ଼ିଛି । ଲୁହୁରାଚଟି ପଣକିପାଲି ଗ୍ରାମର ଜୟଦେବ ମେହେର ତାଙ୍କ ଝିଅ ମଞ୍ଜୁକୁ ପେଟୁପାଲି ଗ୍ରାମର ଅଶୋକ ରାଉତିଆଙ୍କ ପୁତ୍ର ମନମୋହନଙ୍କ ସହ ଗତ ୨୦୨୧ ବର୍ଷ ଫେବୃଆରୀ ମାସ ୨୦ ତାରିଖରେ ବିବାହ କରାଇଥିଲେ ।
ମଞ୍ଜୁର ଏଭଳି ମୃତ୍ୟୁକୁ ନେଇ ପେଟୁପାଲି ମନମୋହନ ରାଉତିଆଙ୍କ ପରିବାର ଏବଂ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ସେପଟେ ମୃତକ ମଞ୍ଜୁର ବାପାଘର ଲୋକେ ଏବଂ ଗ୍ରାମବାସୀ ଏହା ଏକ ହତ୍ୟା ମାମଲା ବୋଲି ଅଭିଯୋଗ ଆଣିଛନ୍ତି । ତେବେ ତଦନ୍ତକାରୀ ଦଳ କହିଛି ଯେ ମୃତଦେହ ବ୍ୟବଚ୍ଛେଦ ପରେ ହିଁ ଜଣାପଡିବ ଏହା ପ୍ରାୟୋଜିତ ହତ୍ୟା ନା ଆତ୍ମହତ୍ୟା ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ