ଓଡିଶା

odisha

By

Published : Jul 11, 2023, 4:40 PM IST

ETV Bharat / state

ଅବ୍ୟବସ୍ଥାରେ ବରଗାଁ ଜଳପ୍ରକଳ୍ପ; ଅସୁରକ୍ଷିତ ବରଗଡ଼ବାସୀ, ଅଷ୍ଟମ ପାସ୍ କର୍ମଚାରୀ କ୍ଳୋରିନ ଗ୍ୟାସ ଅପରେଟର !

ଅବ୍ୟବସ୍ଥା ଭିତରେ ଚାଲିଛି ବରଗାଁ ଜଳପ୍ରକଳ୍ପ । ପାନୀୟ ଜଳ ଯୋଗାଣ ପାଇଁ ଉଦ୍ଧିଷ୍ଟ ପୋଖରୀରରେ ଗାଧୋଇବାଠୁ ନେଇ, ପୋଷାକ ସଫା, ଶୌଚ ଆଦି ନିତ୍ୟକର୍ମ କରୁଛନ୍ତି ଲୋକେ । ଭୋଜିଭାତ କରି ଜଳ ପ୍ରଦୂଷିତ କରୁଛନ୍ତି । ଗୋଟିଏ ପଟେ ପୋଖରୀର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ମଧ୍ୟ ଜଣେ ହେଲେ ଦକ୍ଷ ଟେକନିସିଆନ ନାହାନ୍ତି । ଯାହା ବରଗଡବାସୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ଅଧିକ ପଢନ୍ତୁ

ଅବ୍ୟବସ୍ଥା ଭିତରେ ଚାଲିଛି ବରଗାଁ ଜଳପ୍ରକଳ୍ପ
ଅବ୍ୟବସ୍ଥା ଭିତରେ ଚାଲିଛି ବରଗାଁ ଜଳପ୍ରକଳ୍ପ

ଅବ୍ୟବସ୍ଥା ଭିତରେ ବରଗାଁ ଜଳପ୍ରକଳ୍ପ

ବରଗଡ:ରାଜ୍ୟ ସରକାର ସ୍ଵଚ୍ଛ ପାନୀୟ ଜଳ ଯୋଗେଇବା ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବରଗଡରେ ମେଗା ଜଳ ପ୍ରକଳ୍ପ ନିର୍ମାଣ କରିଛନ୍ତି । ହେଲେ କିଛି ସରକାରୀ କର୍ମଚାରୀଙ୍କ ଅବହେଳା କାରଣରୁ ଫଳପ୍ରଦ ହୋଇପାରୁନି ସରକାରକଙ୍କ ବୃହତ୍ ଯୋଜନା । ଅସୁରକ୍ଷିତ ପାନୀୟ ଜଳ ଯୋଗାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛି ବରଗଡ ପ୍ରଶାସନ । ୩୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ମେଗା ଜଳ ପ୍ରକଳ୍ପ ବର୍ତ୍ତମାନ ବରଗଡବାସୀଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି ।

ବରଗଡରେ ଲୋକଙ୍କ ପିଇବା ପାଣିର ଉତ୍କଟ ସମସ୍ୟାକୁ ଦୂର କରିବା ଲାଗି ବରଗାଁ ଠାରେ ୩୭ କୋଟି ବିନିମୟରେ ମେଗା ଜଳ ପ୍ରକଳ୍ପ ନିର୍ମାଣ ହୋଇଛି । ୨୦୦୯ ମସିହାରେ ଏହାର ଶିଳାନ୍ୟାସ ହୋଇଥିଲା । ୨୦୧୯ରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ଏହି ୧୦ ବର୍ଷ ମଧ୍ୟରେ ବରଗଡ ଜିଲ୍ଲାର ପୁରା ନକ୍ସା ବଦଳି ଯାଇଥିଲା । ୪ ଲେନ ବିଶିଷ୍ଟ ବାଇପାସ ରୋଡ, ବିଜୁ ଏକ୍ସପ୍ରେସ ୱେ, ଖେଦାପାଳି ସ୍ଥିତ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଭୃତି ପ୍ରକଳ୍ପ ନିର୍ମାଣ ହୋଇଥିଲା । ମାତ୍ର କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ମେଗା ପାନୀୟ ଜଳ ପ୍ରକଳ୍ପ ଏବେ ବରଗଡବାସୀଙ୍କ ପାଇଁ ଅତ୍ୟନ୍ତ ଅସୁରିକ୍ଷତ ହୋଇପଡିଛି । ଯାହାକି ସେଠାରୁ ସାମ୍ନାକୁ ଆସିଥିବା ଦୃଶ୍ୟ ବୟାନ କରୁଛି । ନିୟମ ଅନୁଯାୟୀ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପ୍ରକଳ୍ପଗୁଡିକୁ ୨୪ ଘଣ୍ଟା କଡା ସୁରକ୍ଷା ବ୍ୟବସ୍ଥା ଘେରରେ ରଖାଯିବା ଦରକାର । ପ୍ରକଳ୍ପର ଚାରିପଟେ ଉଚ୍ଚ ପାଚେରୀ, ତାରଜାଲି, ୱାଚ ଟାୱାରରେ ସୁରକ୍ଷା କର୍ମଚାରୀ ଏବଂ ସିସିଟିଭିର ବ୍ୟବସ୍ଥା ରହିବା ଆବଶ୍ୟକ । କିନ୍ତୁ ବରଗାଁ ଜଳ ପ୍ରକଳ୍ପ ଠାରେ ଏଭଳି କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ ।

ବରଗଡବାସୀଙ୍କୁ ବର୍ଷ ସାରା ପାନୀୟ ଜଳ ଯୋଗାଇ ଦେବାକୁ ମୁଖ୍ୟ କେନାଲରୁ ଟ୍ରିଟମେଣ୍ଟ ପ୍ଳାଣ୍ଟକୁ ସିଧାସଳଖ ପାଣି ଉଠାଯାଏ । ଗ୍ରୀଷ୍ମ ଋତୁରେ ଏହି କେନାଲ ପାଣି ବନ୍ଦ ହୋଇଯାଏ । ତେଣୁ କେନାଲ ପାଣିକୁ ଗଚ୍ଛିତ ରଖିବାକୁ ପ୍ଳାଣ୍ଟ ନିକଟରେ ୭ ମିଟର ଗଭୀର ବିଶିଷ୍ଟ ଦୁଇ ଗୋଟି ବିରାଟ ପୋଖରୀ ନିର୍ମାଣ କରାଯାଇଛି । କେନାଲ ପାଣି ବନ୍ଦ ହେଲେ ଏହି ପୋଖରୀରେ ଗଚ୍ଛିତ ଥିବା ପାଣିକୁ ପମ୍ପ ଜରିଆରେ ଟ୍ରିଟମେଣ୍ଟ ପ୍ଳାଣ୍ଟକୁ ସ୍ଥାନାନ୍ତରିତ କରାଯାଇଥାଏ ଏବଂ ସେଠାରେ ପାଣିକୁ ସୁଦ୍ଧା କରାଯାଇ ପାଣି ସପ୍ଲାଇ କରାଯାଇଥାଏ । ମାତ୍ର ପାନୀୟ ଜଳ ଭାବେ ବ୍ୟବହାର ପାଇଁ ଏହି ପୋଖରୀରେ ଲୋକେ ଗାଧୋବାଠୁ ଆରମ୍ଭ କରି ଶୌଚ ହେଉଛନ୍ତି ଓ ମଇଳା କପଡା ବି ଧୋଉଛନ୍ତି । ପୋଖରୀ ପାଖରେ ଭୋଜିଭାତ କରି ମଦ ବୋତଲ ଫିଙ୍ଗି ଜଳକୁ ଦୂଷିତ କରୁଛନ୍ତି । ନା ଏଠି ଲୋକଙ୍କୁ କେହି ଅଟକାଇବାକୁ ଅଛି, ନା ପୋଖରୀ ଚାରିପଡେ ତାରଜାଲି ଦିଆଯାଇଛି । ପୋଖରୀକୁ ଏମିତି ଖୋଲା ଛାଡି ଦେବା ବରଗଡବାସୀଙ୍କ ପାଇଁ କେତେ ସୁରକ୍ଷିତ ସେନେଇ ପ୍ରଶ୍ନ ଉଠିଛି । କିଛି ଦିନ ପୂର୍ବରୁ ଏହି ପୋଖରୀ ଭିତରେ ଏକ ନବଜାତ ଶିଶୁର ମୃତଦେହ ମଧ୍ୟ ଉଦ୍ଧାର କରାଯାଇଥିବା ନଜରକୁ ଆସିଛି ।

ଏହାମଧ୍ୟ ପଢନ୍ତୁ: ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ, ଚାଲିଛି ଜିଓଟେକ୍ନିକାଲ ସର୍ଭେ

ଅନ୍ୟପଟେ ଏହି ମେଗା ଜଳ ପ୍ରକଳ୍ପର ଟ୍ରିଟମେଣ୍ଟ ପ୍ଳାଣ୍ଟର ଚାରିପଟେ ଅଳ୍ପ ଉଚ୍ଚତା ବିଶିଷ୍ଟ ପାଚେରୀ ନାମ ମାତ୍ରକୁ ରହିଛି । ଜଣେ ଆରାମରେ ପାଚେରୀ ଡେଇଁ ପ୍ଳାଣ୍ଟ ଭିତରକୁ ପ୍ରବେଶ କରିପାରିବ ଏବଂ ସହଜରେ କୌଣସି ଅଘଟଣ ଘଟାଇପାରିବ | ଗେଟ ସମ୍ମୁଖରେ ଲେଖାଯାଇଛି "ଭିତରକୁ ପ୍ରବେଶ ନିଷେଧ" । ହେଲେ ଏହି ଭିତରକୁ ପ୍ରବେଶ କରିବା ସମୟରେ ଅଟକାଇବା ପାଇଁ କେହି ନାହାନ୍ତି ।

ଟ୍ରିଟମେଣ୍ଟ ପ୍ଲାଣ୍ଟରେ ୩ ଗୋଟି ସିଫ୍ଟ ପାଇଁ ଦୁଇ ଜଣ ଲେଖାଏଁ ସୁରକ୍ଷା କର୍ମଚାରୀ ଅର୍ଥାତ ୬ ଜଣ କର୍ମଚାରୀ କାର୍ଯ୍ୟ କରୁଥିବା କୁହାଯାଉଛି, ହେଲେ ତାହା କେବଳ କାଗଜପତ୍ରରେ । ପ୍ଳାଣ୍ଟରେ କେହି ଦକ୍ଷ ଟେକନିସିଆନ ନାହାନ୍ତି । ଅଷ୍ଟମ ଶ୍ରେଣୀ ପାଠ ପଢିଥିବା କର୍ମଚାରୀ କ୍ଳୋରିନ ଗ୍ୟାସ ଅପରେଟ କରୁଥିବା ଅଭିଯୋଗ ହୋଇଛି । ସେହିପରି ପ୍ଲାଣ୍ଟରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ଥିଲେ ମଧ୍ୟ ତାହା ବି ଅଚଳ ହୋଇପଡିଛି । ଏପରି ସ୍ଥିତିରେ ଏହି ମେଗା ଜଳ ପ୍ରକଳ୍ପ ଲୋକଙ୍କ ପାଇଁ କେତେ ସୁରକ୍ଷିତ ସେନେଇ ପ୍ରଶ୍ନ ଉଠିଛି ।

ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଯାଦବ ଚନ୍ଦ୍ର ଦେହେରୀ କହିଛନ୍ତି, ''ଉପରିସ୍ଥ ଅଧିକାରୀଙ୍କ ସହ କଥା ହୋଇ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସିସିଟିଭି କ୍ୟାମେରା ଲଗାଯିବ । ପ୍ରବେଶ ପଥରେ ବ୍ୟାରିକେଡ ଲଗାଯାଇ ଅବାଧ ପ୍ରବେଶ ରୋକାଯିବ ।''

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details