ଓଡିଶା

odisha

ETV Bharat / state

ଗୋପପୁରରେ ନନ୍ଦୋତ୍ସବ, ଦୈବ ବାଣୀରେ ବିବ୍ରତ କଂସ - ଶୂନ୍ୟରେ ଆର୍ବିଭାବ

ବିଶ୍ବପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚର ତୃତୀୟ ଦିନରେ ନନ୍ଦରାଜା ଓ ନନ୍ଦରାଣୀ ଶ୍ରୀକୃଷ୍ଣଙ୍କୁ ପାଇ ଆତ୍ମବିଭୋର ହୋଇପଡିଛନ୍ତି। ଏହାକୁ ନେଇ ହୋଇଯାଇଛି ନନ୍ଦୋତ୍ସବ। ଅଧିକ ପଢନ୍ତୁ...

nandotsav-celebrates
nandotsav-celebrates

By

Published : Jan 3, 2020, 6:14 PM IST

Updated : Jan 4, 2020, 1:07 AM IST

ବରଗଡ଼: ଜିଲ୍ଲାର ବିଶ୍ବ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶିତ ଧନୁଯାତ୍ରାର ତୃତୀୟ ଦିନରେ ନନ୍ଦରାଜା ଓ ନନ୍ଦରାଣୀ ଶ୍ରୀକୃଷ୍ଣଙ୍କୁ ପାଇ ଆତ୍ମବିଭୋର ହୋଇପଡିଛନ୍ତି। ଏହାକୁ ନେଇ ହୋଇଯାଇଛି ନନ୍ଦୋତ୍ସବ। ଏପଟେ ମହାରାଜା କଂସ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନକୁ ଦର୍ପଣ ଶୀଳାରେ ପ୍ରହାର କରିବାକୁ ଯିବାବେଳେ ଶୂନ୍ୟରେ ଆର୍ବିଭାବ ହୋଇ ବିଜୁଳି କନ୍ୟା ଦେଇଛନ୍ତି ଦୈବବାଣୀ। ପରେ ମହାରାଜ କଂସ ଅତ୍ୟନ୍ତ ବିବ୍ରତ ହୋଇପଡ଼ି କୃଷ୍ଣଙ୍କୁ ମାରିବା ପାଇଁ ଗୋପପୁରକୁ ପଠାଇଛନ୍ତି ଷଢ଼ ମଲ୍ଲ ସହ ପୁତୁନା ରାକ୍ଷସୀକୁ।

ଗୋପପୁରରେ ନନ୍ଦୋତ୍ସବ, ଦୈବବାଣୀରେ ବିବ୍ରତ କଂସ

କୃଷ୍ଣଙ୍କ ଜନ୍ମ ପରେ ସାରା ଗୋପପୁର ହୋଇପଡ଼ିଛି ଉତ୍ସବ ମୁଖର। ବୃଦ୍ଧକାଳେ ପୁତ୍ର ସନ୍ତାନ ଲାଭ କରି ନନ୍ଦରାଜା ଓ ରାଣୀ ଖୁସୀରେ ଆତ୍ମବିଭୋର ହୋଇପଡ଼ିଛନ୍ତି। ଏହା ସହ କୃଷ୍ଣଙ୍କ ଆଗମନରେ ସମସ୍ତ ଗୋପୀ ଓ ଗୋପାଳ ବେଶ ଉତ୍ସାହିତ ହୋଇ ପଡ଼ିଥିବା ବେଳେ ନନ୍ଦଭବନରେ ବଡ଼ ଧୂମଧାମରେ ଆୟୋଜନ କରାଯାଇଛି ନନ୍ଦୋତ୍ସବ।

ନନ୍ଦରାଜାଙ୍କ ନିମନ୍ତ୍ରଣ ପାଇ ସମସ୍ତ ଗୋପ, ଗୋପାଳ ନନ୍ଦୋତ୍ସବରେ କୃଷ୍ଣଙ୍କୁ ଦୋଳିଝୁଲା ସହ ରାସନୃତ୍ୟରେ ମାତିଯାଇଛନ୍ତି। କୃଷ୍ଣଙ୍କୁ ଦର୍ଶନ କରି ଗୋପପୁରବାସୀ ଆତ୍ମବିଭୋର ହୋଇପଡ଼ିଥିବା ବେଳେ ଧୂପ, ଦୀପ ନୈବେଦ୍ୟ ଦେଇ କୃଷ୍ଣଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହାସହ ଘଣ୍ଟବାଦ୍ୟ, ସଙ୍କୀର୍ତ୍ତନରେ ଉଛୁଳି ପଡ଼ୁଛି ଗୋପପୁର ଏବଂ ନନ୍ଦରାଜାଙ୍କ କୋଳରେ ଶୋଭା ପାଉଛନ୍ତି ଶ୍ରୀକୃଷ୍ଣ। ଏହି ଅବସରରେ ଗୋପପୁରରେ ଥିବା ନନ୍ଦଦରବାର ଉଦଘାଟନ କରିଥିଲେ ବରଗଡ ଆରକ୍ଷୀ ଅଧିକ୍ଷକ।

ଏପଟେ ମଥୁରାରେ ମହାରାଜ କଂସଙ୍କ ରାଜୁତି ଜୋରସୋରରେ ଚାଲିଛି। ପ୍ରଥମେ ଶ୍ୟାମେଶ୍ବର ମହାଦେବଙ୍କୁ ପୂଜାର୍ଚ୍ଚନା କରି ସାରିବା ପରେ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଜନ୍ମ ନେଇଥିବା ସୂଚନା ମିଳିଛି ମହାରାଜ କଂସଙ୍କୁ। ଏହାପରେ ମହାରାଜ କଂସ କାରାଗୃହକୁ ଯାଇ ବିଜୁଳି କନ୍ୟାଙ୍କୁ ଛଡ଼ାଇ ଆଣିଛନ୍ତି ଦେବକୀଙ୍କ କୋଳରୁ। ଦେବକୀ ବାସୁଦେବ ଶିଶୁକନ୍ୟାକୁ ଛାଡ଼ିଦେବା ପାଇଁ ବହୁ କାକୁତି ମିନତି ହୋଇଥିଲେ ମଧ୍ୟ ମାନି ନାହିଁ କଂସ। ଶେଷରେ ଶିଶୁକନ୍ୟାକୁ ପଥର ଶିଳାରେ କଚାଡ଼ିବା ବେଳେ କଂସର ହାତରୁ ଅର୍ନ୍ତଧ୍ୟାନ ହୋଇଛନ୍ତି ବିଜୁଳି କନ୍ୟା ଏବଂ ଶୂନ୍ୟରେ ଆର୍ବିଭାବ ହୋଇ କହିଛନ୍ତି ଦୈବବାଣୀ, ‘ରେ କଂସ ତତେ ବଧିବ ଯିଏ ଗୋପରେ ବଢ଼ୁଛି ସିଏ।’

ଏଥିରେ ବ୍ୟତିବ୍ୟସ୍ତ ହୋଇ ମହାରାଜ କଂସ ରାଜଦରବାରକୁ ଫେରିଆସି ମନ୍ତ୍ରୀ ପରିଷଦ ବର୍ଗଙ୍କ ସହ ମନ୍ତ୍ରଣା କରିଛନ୍ତି। ଏହି ସମୟରେ ନାରଦ ପହଞ୍ଚି କଂସ ମହାରାଜଙ୍କୁ ବିଜମନ୍ତ୍ର ପ୍ରଦାନ କରିଥିବା ବେଳେ କୃଷ୍ଣଙ୍କୁ ମାରିବା ପାଇଁ କଂସ ଆହ୍ବାନ କରିଛନ୍ତି ଷଢ଼ମଲ୍ଲ ସହ ପୁତୁନା ରାକ୍ଷସୀଙ୍କୁ। ପୁତନା, ତୃଣା, ବକା ସକଟା, ଷଣ୍ଡା ଆଦି ରାକ୍ଷସ ରାକ୍ଷସୀ କଂସଙ୍କ ଆଦେଶରେ ବାହାରି ପଡ଼ିଛନ୍ତି ଗୋପପୁରକୁ । ଏହି ଅବସରରେ ମହାରାଜ କଂସ ଆୟୋଜନ କରିଛନ୍ତି ରାଜ୍ୟ ତଥା ରାଜ୍ୟବାହାରୁ ଆସିଥିବା କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ।

ଧନୁଯାତ୍ରାର ଚତୁର୍ଥ ଦିନରେ କୃଷ୍ଣବଳରାମଙ୍କ ହାତରେ କଂସଙ୍କ ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀଙ୍କ ନିଧନ ହେବା ସହ ଗୋପପୁରରେ ଗୋପୀ ଗୋପାଳଙ୍କ ସହ ଲୀଳାଖେଳା ଦୃଶ୍ୟ ଅଭିନୀତ ହେବ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Jan 4, 2020, 1:07 AM IST

ABOUT THE AUTHOR

...view details