ବରଗଡ: ମା', ଯିଏ କି ଦଶ ମାସ ଧରି ନିଜ ଗର୍ଭରେ ଧାରଣ କରି ସନ୍ତାନକୁ ଜନ୍ମ ଦେଇଥାଏ | ସ୍ନେହ ମମତାର ଡୋରିରେ ତାରି କୋଳରେ ଛୋଟରୁ ବଡ଼ କରେ । କଅଁଳ ପାପୁଲି ଧରି ଚାଲିବା ଶିଖାଏ । ଜୀବନରେ ସଂଘର୍ଷ କରି ବଞ୍ଚିବାକୁ ଶିଖାଇଥାଏ ନିଜର ଜନ୍ମ କଲା ସନ୍ତାନକୁ । ହେଲେ ସେହି ମା' ଯଦି ନିଜ ଜନ୍ମ କଲା ସନ୍ତାନ ସଙ୍ଗେ ନିଜେ ଆତ୍ମହତ୍ୟାର ବାଟ ବାଛିନିଏ ତାହା ନିଶ୍ଚୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ସଦର ବ୍ଲକ ଖୁଣ୍ଟପାଲି ପଞ୍ଚାୟତ ଅନ୍ତର୍ଗତ ଚାରପାଲି ଗାଁରେ ।
ଏକା ସଙ୍ଗେ ଦୁନିଆ ବୁକୁରେ ଜନ୍ମ ହୋଇ ପାଦ ଥାପିଥିଲେ ଯାଆଁଳା ଭାଇ ଜଗା ଓ ବଳିଆ । ହେଲେ କିଏ ଜାଣିଥିଲା ଜୀବନ ଯୁଦ୍ଧରେ ହାର ମାନି ଏକା ସଙ୍ଗେ ଦୁନିଆ ଛାଡ଼ି ଚାଲିଯିବେ ଏହି ଦୁଇ ଭାଇ | ଗୋଟିଏ ଜୁଇରେ ଏକାସାଙ୍ଗେ ଜଳିଛି ଯାଆଁଳା ଭାଇଙ୍କ ସହ ସେମାନଙ୍କ ମା'ର ଚିତା । ଏକା ସାଙ୍କରେ ଗୋଟିଏ ପରିବାରର ତିନି ତିନୋଟି ଚିତା ଜଳୁଥିବା ଦେଖି ଗ୍ରାମରେ ଶୋକର ଛାୟା ଖେଳିଯାଇଛି |
ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଏହି ଘଟଣାରେ ସାରା ବରଗଡରେ ଚହଳ ଖେଳିଯାଇଥିବା ବେଳେ କେଉଁ କାରଣରୁ ଏହି ସମୂହ ଆତ୍ମହତ୍ୟା ଘଟଣା ଘଟିଲା ଏନେଇ ବରଗଡ ଅତିରିକ୍ତ ଏସପି ଅମରେନ୍ଦ୍ର ରଣା ଚାରପାଳି ଗ୍ରାମକୁ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି | ପରିବାରରେ ତିନି ଭଉଣୀ, ଦୁଇ ଯାଆଁଳା ଭାଇ ଏବଂ ବାପା ମାଆଙ୍କୁ ମିଶାଇ ମୋଟ ୭ ଜଣ ସଦସ୍ୟ ଥିବାବେଳେ ବହୁ କଷ୍ଟରେ ଚଲୁଥିଲେ ଏହି ପରିବାର । ଲକଡାଉନ ଭିତରେ ଗୋଟିଏ ଝିଅର ବାହା କରିଥିବା ବେଳେ ମୁଣ୍ଡରେ 60 ହଜାର ଟଙ୍କାର କରଜ ରହିଥିଲା | ଅନ୍ୟପକ୍ଷେ ଫାଇନାନ୍ସ କମ୍ପାନୀମାନଙ୍କୁ ପ୍ରତିମାସରେ 3 ହଜାର ଟଙ୍କା ଲେଖାଏଁ ଦେବାକୁ ପଡୁଥିଲା | ହେଲେ ଘରର ମୁରବି କୁହାଯାଉଥିବା କାଶିଆ ବଞ୍ଛୋର ମଦ ପିଇ ସବୁ ଟଙ୍କା ଖର୍ଚ୍ଚ କରିଦେଉଥିବାରୁ ପରିବାରରେ ବାରମ୍ବାର ଗଣ୍ଡଗୋଳ ଲାଗିରହୁଥିଲା | ଯାହା ପରବର୍ତ୍ତି ସମୟରେ ସମୂହ ଆତ୍ମହତ୍ୟାର ରୂପ ନେଇଥିଲା ।