ଓଡିଶା

odisha

ETV Bharat / state

ବୟସ ସହ ବଢୁଛି ରୋଗ, 16 ବର୍ଷ ହେଲାଣି ଜଣାପଡୁନି କାରଣ

କିଶୋରବସ୍ଥାରୁ ଯୁବାବସ୍ଥା ପର୍ଯ୍ୟନ୍ତ ଦୀର୍ଘ 16 ବର୍ଷ ଧରି ବିଧାତାର ଲେଖାରେ ଶଯ୍ୟାରେ ଦିନ କାଟୁଛନ୍ତି ପୋଟଳଗ୍ରାମର ସୁବଳ କର । ଆଜି ପର୍ଯ୍ୟନ୍ତ ତାଙ୍କ ପ୍ରତି ନା ପଡିଛି ପ୍ରଶାସନର ଦୃଷ୍ଟି ନା ମିଳିଛି ସରକାରୀ ସହାୟତା । ଚିକିତ୍ସା ପାଇଁ ସବୁ ଡାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ ଅଧିକ ଅର୍ଥ ତାଙ୍କୁ ସୁସ୍ଥ ଜୀବନ ଦେବାରେ ସାଜିଛି ବାଧକ ।

By

Published : Aug 11, 2019, 1:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: କିଶୋରାବସ୍ଥାରୁ ଯୁବାବସ୍ଥା ପର୍ଯ୍ୟନ୍ତ ବିଛଣାରେ କଟୁଛି ଦିନରାତି । ଭାଗ୍ୟରେ ନଥିଲା ପିଲାଦିନରେ ସାଙ୍ଗସାଥୀଙ୍କ ସହ ଖେଳକୁଦ, ପାଠପଢା ଓ ମଉଜ ମଜଲିସର ସୁଖ । ଅଜଣା ରୋଗ ତାଙ୍କ ଜୀବନକୁ ଗ୍ରାସ କରି ସବୁଦିନ ପାଇଁ ତାଙ୍କୁ କରିଥିଲା ଶଯ୍ୟାଶାୟୀ । ଏ ହେଉଛନ୍ତି ବରଗଡ ଜିଲ୍ଲା ପିଠା ପୋଟଳ ଗ୍ରାମର ସୁବଳ କର । ନବମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀଙ୍କୁ ପାଠପଢାରେ ମାତ୍‌ ଦେଉଥିବା ସୁବଳଙ୍କୁ କିନ୍ତୁ ଭାଗ୍ୟ ଦେଇଥିଲା ମାତ୍‌ ।

ଆଜି ସେହି ନବମ ଶ୍ରେଣୀର 14 ବର୍ଷୀୟ ନାବାଳକ 30 ବର୍ଷ ଯୁବକରେ ପରିଣତ ହୋଇଛି । ଦୀର୍ଘ 16 ବର୍ଷ ଧରି ଗୋଟିଏ ବିଛଣାରୁ ଉଠିନଥିବା ସୁବଳଙ୍କ ପାଇଁ ଏବେ ଛୋଟ ପଡିଲାଣି ଖଟ । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ପ୍ରତି ନା ପଡିଛି ପ୍ରଶାସନର ଦୃଷ୍ଟି ନା ମିଳିଛି ସରକାରୀ ସହାୟତା । ଫଳରେ ଶଯ୍ୟାଶାୟୀ ଜୀବନ ଅତିବାହିତ କରୁଛନ୍ତି ସେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ପିଲାଦିନେ ଉଚ୍ଚ ଶିକ୍ଷିତ ହୋଇ ବଡ ଚାକିରି କରି ବାପା ମାଙ୍କ ସେବା କରିବାକୁ ସ୍ବପ୍ନ ରଖିଥିବା ସୁବଳଙ୍କ ଭାଗ୍ୟରେ ବିଧାତାଙ୍କ ଲେଖା ଥିଲା କିଛି ଅଲଗା । ଦିନେ ସ୍କୁଲରୁ ପାଠପଢି ଫେରୁଥିବାବେଳେ ହଠାତ ଗୋଟିଏ ଗୋଡ କାମ କରି ନଥିଲା । ଏହାପରେ ସେ ଛୋଟେଇ ଛୋଟେଇ ଘରକୁ ଆସିଥିଲେ । ଆଉ ଧୀରେ ଧୀରେ ତାଙ୍କ ଗୋଡ ଦରଜ ହେବାକୁ ଲାଗିଲା । ପରେ ଗୋଡ ଦୁଇଟି ଅକର୍ମଣ୍ୟ ହୋଇଯାଇଥିଲା । ସେହିଦିନ ଠାରୁ ବନ୍ଦ ହୋଇଥିଲା ସୁବଳଙ୍କ ପାଠପଢା । ପୁଅକୁ ଭଲ କରିବାକୁ ସୁବଳଙ୍କ ପରିବାର ଅନେକ ଡାକ୍ତରଙ୍କୁ ଦେଖାଇଥିଲେ । ଓଡିଶାର ଡାକ୍ତର ତାଙ୍କ ରୋଗକୁ ଚିହ୍ନି ପାରିନଥିବାବେଳେ ବାହାର ଡାକ୍ତର ତାଙ୍କ ହାତ ଓ ଗୋଡର ହାଡ ନଳୀ ଭିତରେ ତିଆରି ହୋଇପାରୁନାହିଁ ତରଳ ଜାତୀୟ ପଦାର୍ଥ । ଯାହାର ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକ ପଡିବ ବୋଲି ଡାକ୍ତର କହିଥିଲେ । ଆଉ ଏବେ ତାଙ୍କ ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ ।

ସୁବଳଙ୍କ ବାପା ଧନଞ୍ଜୟ କର ପେଶାରେ ଜଣେ ମନ୍ଦିର ପୂଜକ । ଦୀର୍ଘ 50 ବର୍ଷ ଧରି ରାଧାକୃଷ୍ଣଙ୍କ ପୂଜାରେ ସେ ନିଜକୁ ସମର୍ପଣ କରିଦେଇଛନ୍ତି । ହେଲେ ସାନ ପୁଅର ରୋଗ ତାଙ୍କ ଉପରେ ଦାଉ ସାଜିଛି । ସତେ ଯେମିତି ଭକ୍ତର ପରୀକ୍ଷା ନେଉଛନ୍ତି ଭଗବାନ । ଧନଞ୍ଜୟଙ୍କ ଦୁଇଟି ପୁଅ ଅଛନ୍ତି । ବଡ ପୁଅ ଶାରିରୀକ ଓ ମାନସିକସ୍ତରରେ ଅକ୍ଷମ ହୋଇଥିବାବେଳେ ସାନ ପୁଅ ସୁବଳ ଶଯ୍ୟାଶାୟୀ ହୋଇପଡିଛି । ମନ୍ଦିରରୁ ମିଳୁଥିବା ଅର୍ଥରେ 4 ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର । ପ୍ରତିଦିନ ଦୁଇ ଓଳି ଖାଇବାକୁ ମିଳିବା କଥାକୁ ଭଗବାନଙ୍କ କୃପା ବୋଲି କହିଛନ୍ତି ସେ ।

ଅର୍ଥ ଏବଂ ପରିବାରର ଦୂରବସ୍ଥା ଦେଖି ଦୁଃଖରେ ଭାଙ୍ଗି ପଡିଛନ୍ତି ସୁବଳ । ଦିନେ ବାପା ମାଙ୍କ ସେବା କରିବାକୁ ଆଶା ରଖିଥିବା ସୁବଳ ଏବେ ନିଜେ ସେମାନଙ୍କ ଆଶ୍ରିତ । କିନ୍ତୁ ପରିବାରର ଏତେ କଷ୍ଟ ପରେ ବି ଭଗବାନଙ୍କ ପୂଜାର୍ଚ୍ଚନାରେ ହେଳା କରିନାହାଁନ୍ତି ଧନଞ୍ଜୟ । ତଥାପି ମନ୍ଦିରରେ ଧନଞ୍ଜୟଙ୍କ ପାଇଁ ପଥର ମୂର୍ତ୍ତି ସାଜିଛନ୍ତି ଭଗବାନ । ଯଦି କେହି ସହୃଦୟ ବ୍ୟକ୍ତି ସୁବଳଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇବାକୁ ଚାହାଁନ୍ତି ତାହେଲେ ତାଙ୍କ ମୋବାଇଲ ନଂ 9777683017ରେ ଯୋଗାଯୋଗ କରିପାରିବେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details