ବରଗଡ:ଝିଅ ପାଠ ପଢିବ ଏବଂ ଦିନେ ବଡ଼ ଚାକିରୀ କରି ନିଜ ଗୋଡ଼ରେ ଛିଡ଼ା ହେବ ସେହି ଆଶାରେ ପରିବାରଲୋକେ ଝିଅକୁ ଗାଁରୁ ସହରକୁ ପାଠ ପଢ଼ାଇବାକୁ ଛାଡ଼ିଥିଲେ । ମାତ୍ର ପାଠ ପଢିବାକୁ ଆସି ନାବାଳିକା ଝିଅର ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଆଜି ବରଗଡ଼ ସହରରେ ଦେଖିବାକି ମିଳିଛି । ସୋମବାର ଦିନ ୧୧ଟା ସମୟରେ ବରଗଡ଼ ରେଳଷ୍ଟେସନ ସମ୍ମୁଖରେ ଥିବା ବିଜୟ ହୋଟେଲରୁ ବଲାଙ୍ଗୀର ପଢ଼ିଆପାଲି ଅଞ୍ଚଳର ଜଣେ ଯୁବକ ରାହୁଲ ବାଗ ଜଣେ ଯୁବତୀଙ୍କୁ ଅଚେତ ଅବସ୍ଥାରେ ଏକ ଟେମ୍ପୁ ସାହାଯ୍ୟରେ ବରଗଡ଼ ସହର ମଧ୍ୟରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଡାକ୍ତର ସେଠାରେ ନାବାଳିକାକୁ ମୃତ ଘୋଷଣା କରିଥିଲେ ।
ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର ଜଣେ ନାବାଳିକା ଝିଅ ବରଗଡ଼ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପାଠ ପଢୁଥିଲେ । ସୋମବାର ସକାଳ ୬ଟା ୩୦ ମିନିଟରେ ସମୟରେ ଏକ ସରକାରୀ ବସରେ ନିଜ ଗାଁରୁ ବରଗଡ଼ ଅଭିମୁଖେ ଆସିଥିଲେ । ସକାଳ ୯ଟା ୩୦ମିନିଟରେ ନିଜ ବାପାଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ ଯେ, ସେ ଠିକ୍ ଭାବରେ ବରଗଡ଼ ପହଞ୍ଚି ଯାଇଛନ୍ତି । ହେଲେ ତାର ଠିକ୍ ୧ ଘଣ୍ଟା ପରେ ପରିବାର ଲୋକଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଜଣେ ଯୁବକ କଲ କରି ସୂଚନା ଦେଇଥିଲେ ଯେ ତାଙ୍କ ଝିଅର ମୃତ୍ୟୁ ହୋଇଛି ।