ବରଗଡ: ରେଡକ୍ରସ ସେବା ସାରା ଦେଶରେ ପରିଚିତ । ବହୁ ସଚେତନ ଲୋକଙ୍କ ଆର୍ଥିକ ସହାୟତାରେ ଏହି ରେଡକ୍ରସ କାର୍ଯ୍ୟକ୍ଷମ ହୋଇଥାଏ । ଯେଉଁଥିପାଇଁ ବହୁ ଗରିବ ଲୋକଙ୍କ ପାଇଁ ଏହା ସହାୟ ହୋଇଥାଏ । କିନ୍ତୁ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଡକ୍ରସ ପକ୍ଷରୁ ଖୋଲାଯାଇଥିବା ମାଗଣା ଔଷଧ ବିତରଣ କେନ୍ଦ୍ର ଦୀର୍ଘ ମାସ ହେଲା ବନ୍ଦ ହୋଇପଡିଛି । ଯେଉଁ କାରଣରୁ ବହୁ ଗରିବ ରୋଗୀ ମାଗଣା ଔଷଧ ପାଇବାରେ ବଞ୍ଚିତ ହେଉଛନ୍ତି ଏବଂ ଅଯଥାରେ ଖର୍ଚ୍ଚାନ୍ତ ହୋଇ ବାହାରୁ ଅଧିକ ଦାମ ଦେଇ ମେଡିସିନ କିଣିବାକୁ ବାଧ୍ୟ ହେଉଛନ୍ତି |
ତେବେ ରେଡକ୍ରସ ଫଣ୍ଡରେ ଅର୍ଥର ଅଭାବ ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଡକ୍ରସର ଏହି ମେଡ଼ିସିନ ବ୍ୟାଙ୍କ ବନ୍ଦ କରିବାକୁ ପଡିଛି ବୋଲି ରେଡକ୍ରସ ପକ୍ଷରୁ କୁହାଯାଇଛି | ସରକାରୀ ଡାକ୍ତରଖାନାରେ ସରକାର ବିଭିନ୍ନ ରୋଗର ପ୍ରାୟ 250 ପ୍ରକାରର ଔଷଧ ମାଗଣାରେ ରୋଗୀଙ୍କୁ ଉପଲବ୍ଧ କରାଯିବାର ବ୍ୟବସ୍ଥା କରିଥିଲେ । କିନ୍ତୁ ବରଗଡ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଔଷଧ ମିଳିପାରୁନାହିଁ | ବଡବଡ ରୋଗର ଔଷଧ ଡାକ୍ତରଖାନାରେ ଉପଲବ୍ଧ ହେଉନଥିବା ବେଳେ ଗରିବ ରୋଗୀମାନେ ବାଧ୍ୟ ହୋଇ ଅଧିକ ଦାମରେ ଘରୋଇ ଔଷଧ ଦୋକାନ ମାନଙ୍କରେ କିଣିବାକୁ ବାଧ୍ୟ ହୋଇ ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି |