ବରଗଡ: ଯୌତୁକ ପ୍ରଥାକୁ ବିରୋଧ କରି ଆଦର୍ଶ ସାମୁହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ । ସମ୍ବିଧାନ ସୁରକ୍ଷା ମଞ୍ଚ ଆଜି ବରଗଡରେ ୬ ଯୋଡା ଯୁବକ ଯୁବତୀଙ୍କୁ କେବଳ ଦୁଇ ଗୋଟି ଫୁଲମାଳରେ ବିବାହ କରାଇ ନିଆରା ପଦକ୍ଷେପ ନେଇଛନ୍ତି । ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଦିବସରେ ପ୍ରତିବର୍ଷ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଆଦର୍ଶ ଗଣବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଆଜି ମଧ୍ୟ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଦିବସରେ ୧୭ତମ ସାମୁହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ୬ ଯୋଡ଼ା ବର ଓ ବଧୂ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ଜାତି ବିହୀନ, ଯୌତୁକ ବିହୀନ, ଆର୍ଥିକ ମୁକ୍ତି ଏବଂ ସାମାଜିକ ପରିବର୍ତ୍ତନ ଉଦ୍ଦେଶ୍ୟରେ ଗତ ୧୭ ବର୍ଷ ତଳେ ପବିତ୍ର ଦେହେରିଙ୍କ ଅଧ୍ୟକ୍ଷତାରେ ଏହି ଗଣବିବାହ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ସମ୍ବିଧାନ ସୁରକ୍ଷା ମଞ୍ଚ । ଏହି ଗଣବିବାହରେ ଅନେକ ପରିବାର ଯୋଡ଼ି ହୋଇ ସାମୁହିକ ବିବାହକୁ ସମର୍ଥନ ଦେଇଥାଆନ୍ତି । ସମାଜରେ ବିବାହ ଉତ୍ସବମାନଙ୍କରେ ବ୍ୟାପକ ଅର୍ଥ ବ୍ୟୟ କରାଯାଉଥିବା ବେଳେ ମଧ୍ୟମ ଓ ଗରିବ ଶ୍ରେଣୀ ପରିବାର ସମାଜର ଏହି ଜାକଜକିଆ ପରମ୍ପରା ଭିତରେ ବାନ୍ଧି ହୋଇ ଅଯଥାରେ ଖର୍ଚ୍ଚାନ୍ତ ହୋଇଥାନ୍ତି । ଆର୍ଥିକ ଓ ମାନସିକ ବୋଝରେ ଗତି କରୁଥିବା ବେଳେ ଏହାର ପରିବର୍ତ୍ତନ ପାଇଁ ସାମୁହିକ ଗଣ ବିବାହ ପରି ଏକ ନିଆରା ପଦକ୍ଷେପ ନିଆଯାଇଥିଲା । ଲୋକେ ମଧ୍ୟ ବୁଝିସାରିଛନ୍ତି ଏବଂ ଅଳ୍ପ ଖର୍ଚ୍ଚରେ କିପରି ବିବାହ ଉତ୍ସବ ସମାପନ ହେବ ସେହି ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପରି ଆଦର୍ଶ ବିବାହ କରିବାକୁ ଅନେକ ଯୋଡ଼ା ଅପେକ୍ଷା କରିଥାଆନ୍ତି ।