ବରଗଡ: ଦୃଢ ଇଚ୍ଛା ଶକ୍ତି ଓ ଈଶ୍ବରଦତ୍ତ କଳାର ସମାହାର ବାସ୍ତବରେ ବେଶ ନିଆରା । ଏପରି ଖୁବ କମ ଲୋକେ ଥାଆନ୍ତି ଯେଉଁମାନେ ନିଜ କଳାର ବିକାଶ ପାଇଁ ତମାମ ବାଧାବିଘ୍ନ ସତ୍ତ୍ବେ ସାଧନାରେ ନିଜକୁ ନିୟୋଜିତ ରଖନ୍ତି । ଆଉ ତାଙ୍କର ଏହି ନିଶା ଆଗରେ ଶେଷରେ ହାର ମାନେ ସମାଜ । ବର୍ତ୍ତମାନ ସମୟରେ ଗପ ପରି ଲାଗୁଥିବା ଏପରି ଏକ କାହାଣୀକୁ ବାସ୍ତବତାର ରୂପ ଦେଇଛନ୍ତି ବରଗଡ ଜିଲ୍ଲା ବରଗଡ ବ୍ଲକ ଗାଇସୋମା ଗ୍ରାମ ପଞ୍ଚାୟତ ମାଲିପାଳି ଗ୍ରାମର ମୀନକେତନ ଭୋଇ । ଚାଷୀ ପରିବାରରେ ଜନ୍ମ ନେଇଥିବା ମୀନକେତନ ଛୁଆଟି ଦିନରୁ ଅର୍ଥାଭାବ ଦେଇ ଗତି କରିଥିବା ବେଳେ ବାଦ୍ୟ ଯନ୍ତ୍ର ପ୍ରତି ଥିଲା ଦୁର୍ବଳତା । ଏନେଇ ବହୁ କଷ୍ଟରେ କିଛି ପଇସା ସଞ୍ଚି ସେ ମାତ୍ର 7 ଟଙ୍କାରେ କିଣିଥିଲେ ଏକ ବଂଶୀ । ଆଉ ସେଇଠୁ ଆରମ୍ଭ ହେଲା ତାଙ୍କର ବଂଶୀ ବାଦକର ସଂଘର୍ଷମୟ ଯାତ୍ରା ।
ମଫସଲ ଅଞ୍ଚଳରେ ଚାଷବାସ ଛଡା ଅନ୍ୟ କୌଣସି କାର୍ଯ୍ୟକୁ ପାଗଳାମିର ନାମ ଦିଆଯାଉଥିବା ବେଳେ ମୀନକେତନଙ୍କ ବଂଶୀ ବାଦନକୁ ମିଳିଥିଲା ସମାନ ଆଖ୍ୟା । ପରିବାର ସହ ଗ୍ରାମବାସୀ ମଧ୍ୟ ତାଙ୍କର ଏହି ନିଶାକୁ ବିରୋଧ କରିଥିଲେ । ହେଲେ ଅଟକି ନଥିଲା ମୀନକେତନଙ୍କ ବଂଶୀର ଧ୍ୱନି । ଚାଷ କାର୍ଯ୍ୟରୁ ଫୁରସତ ମିଳିଲେ ଜଙ୍ଗଲ ଓ କ୍ଷେତରେ ଏକାନ୍ତରେ ବସି ବଂଶୀ ବାଦନର ନିରନ୍ତର ସାଧନା କରୁଥିଲେ । ଏହି ନିଶା ପାଇଁ ଗ୍ରାମସଭା ବସିଥିବା ବେଳେ ସେ ଗାଁରୁ ବାହାରିଯାଇ ମଧ୍ୟ ସାଧନା ଜାରି ରଖିଥିଲେ । ବହୁ ସଂଘର୍ଷ ପରେ ସେ ଆହ୍ଲାବାଦ ସ୍ଥିତ ପ୍ରୟାଗ ସଙ୍ଗୀତ ସମିତିରେ 6 ବର୍ଷର ସଙ୍ଗୀତ ପ୍ରଭାକର ଡିଗ୍ରୀ ହାସଲ କରିଥିଲେ । ପରେ ପରେ ସେ 2 ବର୍ଷର ୱେଷ୍ଟର୍ଣ୍ଣ ମ୍ୟୁଜିକ ଜୁନିୟର ଡିପ୍ଲୋମା କୋର୍ସ ମଧ୍ୟ ଶେଷ କରିଥିଲେ । ବାସ୍, ଏହା ପରେ ଆଉ ପଛକୁ ବୁଲି ଚାହିଁ ନାହାନ୍ତି ମୀନକେତନ ।