ବରଗଡ:ସମାଧାନ ହେବ କି ମହାନଦୀ ଜଳ ବିବାଦ ମାମଲା । ଓଡିଶା-ଛତିଶଗଡ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦ ମାମଲାର ସମାଧାନ ରାସ୍ତା ବାହାର କରିବାକୁ ଛତିଶଗଡ ପରେ ଏବେ ଓଡିଶାରେ କ୍ଷେତ୍ର ପରିଦର୍ଶନ କରୁଛି ଟ୍ରିବୁନାଲ ଟିମ୍ । ସମ୍ବଲପୁରରେ ବିଭିନ୍ନ ସ୍ଥାନରେ କ୍ଷେତ୍ର ପରିଦର୍ଶନ କରିବା ପରେ ଗତକାଲି(ରବିବାର) ବରଗଡରେ କ୍ଷେତ୍ର ପରିଦର୍ଶନ କରିଥିଲା ଟିମ୍ ।
ଟ୍ରିବୁନାଲଙ୍କ ବିଚାର ପ୍ରକ୍ରିୟାରେ ଏହି ଗସ୍ତ ଓ ତଥ୍ୟ ଗୁରୁତ୍ବପୂର୍ଣ୍ଣ ହେବ । ପ୍ରଥମ ଦିନରେ ହୀରାକୁଦ ଡ୍ୟାମ, ବୁର୍ଲା ପାୱାର ହାଉସ ବୁଲି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଗତକାଲି ଚିପିଲିମା ଓ ପରେ ବରଗଡ ଜିଲ୍ଲା ଅତାବିରା ପହଞ୍ଚି ବରଗଡ ମୁଖ୍ୟ କେନାଲ ପରିଦର୍ଶନ କରିଛି ଟ୍ରିବୁନାଲ ଟିମ । ଆସନ୍ତା ୨୩ ତାରିଖ ଯାଏଁ ଟ୍ରିବ୍ୟୁନାଲ ଟିମ୍ର ଏହି ସର୍ଭେ ଚାଲିବ ବୋଲି ସୂଚନା ରହିଛି । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଦ୍ଦିଷ୍ଟ ଏହି ଟ୍ରିବ୍ୟୁନାଲ ଟିମ ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଟାଙ୍ଗରପାଲି କେନାଲ ଓ ହୀରାକୁଦ ଡ୍ୟାମ ତଳି ଅଞ୍ଚଳ ବୁଲି ଅନୁଧ୍ୟାନ କରିଥିଲେ ।
ଛତିଶଗଡ଼ ରାଜ୍ୟରୁ ଓଡ଼ିଶା ରାଜ୍ୟ ଦେଇ ପ୍ରବାହିତ ହେଉଥିବା ମହାନଦୀ ଉପରେ ଓଡ଼ିଶା ରାଜ୍ୟ 1947 ମସିହାରୁ ସମ୍ବଲପୁର ଜିଲ୍ଲାରେ ହୀରାକୁଦ ନଦୀବନ୍ଧ କାମ ଆରମ୍ଭ କରି 1953 ମସିହାରୁ କାର୍ଯ୍ୟକାରୀ ହୋଇଥିଲା । ଏହି ନଦୀବନ୍ଧରେ 1953 ରୁ ଆଜି ପର୍ଯ୍ୟନ୍ତ ବହୁ ଚାଷୀ କେନାଲ ପାଣି ଜରିଆରେ ଚାଷକାମ କରି ଉପକୃତ ହୋଇଆସୁଥିବା ବେଳେ କିଛି ବର୍ଷ ହେଲା ଛତିଶଗଡ଼ ରାଜ୍ୟ ଉପରମୁଣ୍ଡରେ ମହାନଦୀ ପାଣିକୁ ବାନ୍ଧି ଅଟକାଇ ଦେଇଥିବାରୁ ଓଡିଶାର ହୀରାକୁଦ ଜଳ ଭଣ୍ଡାରରେ ଗ୍ରୀଷ୍ମ ଋତୁରେ ନଦୀପାଣିର ଘୋର ସମସ୍ୟା ଦେଖାଦେଇଛି ଯାହା ଫଳରେ ଓଡିଶାରେ ବିଜୁଳି ଉତ୍ପାଦନ ଏବଂ କୃଷି କ୍ଷେତ୍ରରେ ସମସ୍ୟା ଦେଖାଦେଇଛି ।