ବରଗଡ: ସ୍ଵର୍ଗତ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଆଜି ରାଜଘାଟ ଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପଦ୍ମପୁରରେ ଆଜି ତାଙ୍କର ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯିବା ପରେ ରାଜଘାଟକୁ ନିଆଯାଇଥିଲା । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।
ଗତକାଲି ସନ୍ଧ୍ୟାରେ ତାଙ୍କର ପାର୍ଥିବ ଶରୀର ଭୁବନେଶ୍ବର ଠାରୁ ପଦ୍ମପୁରକୁ ଅଣାଯାଇଥିଲା । ପଦ୍ମପୁର ବିଜେଡି କାର୍ଯ୍ୟାଳୟରେ ତାଙ୍କର ମୃତଦେହ ରଖାଯାଇଥିଲା । ସେଠାରେ ଶେଷ ଦର୍ଶନ ପରେ ଆଜି ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଶେଷ ଦର୍ଶନ ପାଇଁ ଆଜି ସମସ୍ତ ଦଳର ନେତା ମାନେ କଲେଜ ରୋଡ ସ୍ଥିତ ତାଙ୍କ ବାସଭବନକୁ ପହଞ୍ଚିଥିଲେ । ଏଥିରେ ଓଡ଼ିଶା ସରକାରଙ୍କ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ, ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ, ଭଟଲି ବିଧାୟକ ସୁଶାନ୍ତ ସିଂ, ବିଜେପି ବିଧାୟକ ମୁକେଶ ମହାଳିଙ୍ଗ, ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ, ପୂର୍ବତନ ସାଂସଦ ପ୍ରଭାସ ସିଂ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ତାଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶୋକାକୁଳ ପରିବେଶ ଭିତରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନେତା ଓ ଜନତା ।