ବରଗଡ: ପଦ୍ମପୁର ଉପନିର୍ବାଚନ(Padampur Bypoll) ପାଇଁ ସରିଛି ପ୍ରାର୍ଥୀ ଘୋଷଣା । ବିଜେଡି ଦିବଙ୍ଗତ ବିଧାୟକଙ୍କ ଝିଅଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସରୁ ସତ୍ୟଭୂଷଣ ସାହୁ ଓ ବିଜେପିରୁ ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଛନ୍ତି । ସୋମବାର ବିଜେପି ପ୍ରାର୍ଥୀ ପୁରୋହିତ(BJP Candidate Pradip Purohit) ନାମାଙ୍କନ ପତ୍ର ଦାଖଲ ପାଇଁ ବିଶାଳ ରାଲିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତାଙ୍କ ସହ ସାଂସଦ ସୁରେଶ ପୂଜାରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳନେତା ଜୟନାରାୟଣ ମିଶ୍ର ଉପସ୍ଥିତ ରହିଥିଲେ । ତେବେ ପ୍ରଦୀପ ପୁରୋହିତ ସେଠାରେ ନାମାଙ୍କନ ଦାଖଲ ନକରି ଫେରିବା ଆସିବା ଏବେ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ଏହାକୁ ନେଇ ବିଜେପି ପ୍ରାର୍ଥୀ କହିଛନ୍ତି, ''ଫସଲ ବୀମାକୁ ନେଇ ପଦ୍ମପୁର ଅଞ୍ଚଳର ଚାଷୀମାନେ ଦୀର୍ଘ ଦିନରୁ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଉଛନ୍ତି । ଚାଷୀଙ୍କୁ ସମ୍ମାନ ଜଣାଇବାକୁ ଯାଇ ସେମାନଙ୍କ ଅନୁରୋଧକ୍ରମେ ସେ ନାମାଙ୍କନ ଭରିନାହାନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ଚାଷୀ ବଞ୍ଚିତ ହେବା, ମରୁଡି ଘୋଷଣା ନହେବା ଆଦି ପ୍ରସଙ୍ଗ ନେଇ ପଦ୍ମପୁର ଚାଷୀ ଏହି ଆନ୍ଦୋଳନ କରୁଛନ୍ତି । ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି ଭାବେ ସେ ଏହି କୃଷକ ଆନ୍ଦୋଳନ ସହ ଜଡିତ ଅଛନ୍ତି ଏବଂ ଏହି ସମସ୍ୟା ନେଇ ପୁରୋହିତ ଦିଲ୍ଲୀ ମଧ୍ୟ ଯାଇଛନ୍ତି । ତେଣୁ ଗତକାଲି ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ ପାଇଁ ପହଞ୍ଚିବା ପରେ ସେଠାରେ ଆନ୍ଦୋଳନରତ କୃଷକ ନାମାଙ୍କନ ଦାଖଲ ନକରିବାକୁ ତାଙ୍କୁ ଅନୁରୋଧ କରିଥିଲେ । ତେଣୁ ସେ ତାଙ୍କ ଅନୁରୋଧକ୍ରମେ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମକୁ ବାତିଲ କରିଦେଇଥିଲେ ।'' ଏହାସହିତ ଅନ୍ୟକୌଣସି ଭଲ ଦିନରେ ନାମାଙ୍କନ ଭରିବେ ବୋଲି ପ୍ରଦୀପ ପୁରୋହିତ ଜଣାଇଛନ୍ତି ।