ବରଗଡ: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ଶିକ୍ଷିତ ବେକାରୀଙ୍କ ସଂଖ୍ୟା । ରାଜ୍ୟ ସରକାରଙ୍କ ଭୁଲ ପଦକ୍ଷେପ ଯୋଗୁଁ ବଳି ପଡୁଛନ୍ତି ବହୁ ଯୁବକ । ଡିଗ୍ରୀ ହାସଲ କରିସାରିବା ପରେ ମିଳୁନି ନିଯୁକ୍ତି । ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅନେକ ଆଶାୟୀ ।
ଶିକ୍ଷା କ୍ଷେତ୍ରରେ ନିଯୁକ୍ତି ପାଇବା ପାଇଁ ବହୁ ଆଶାୟୀ ପ୍ରାର୍ଥୀ OTET ପରୀକ୍ଷା ଦେଇଛନ୍ତି । କିନ୍ତୁ ସରକାର ଅବସରପ୍ରାପ୍ତ ଶିକ୍ଷକ ତଥା ଅଧ୍ୟାପକ ମାନଙ୍କୁ ପାର୍ଟ ଟାଇମ ଭାବରେ ପୁନଃ ନିଯୁକ୍ତି ଦେବା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ କରିଛନ୍ତି ଆଶାୟୀ ।
ବିଗତ ବିଧାନସଭା ଅଧିବେଶନରେ ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କ ବିବୃତି ଅନୁଯାୟୀ ରାଜ୍ୟରେ 1,08,000 ରୁ ଅଧିକ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ଶିକ୍ଷକ ପଦବୀ ଖାଲି ରହିଛି । ଲକ୍ଷାଧିକ ଆଶାୟୀ ନିଯୁକ୍ତି ଅପେକ୍ଷାରେ ରହିଥିବା ବେଳେ ବରଗଡ ଜିଲ୍ଲାରେ କେବଳ 18 ହଜାର ରୁ ଅଧିକ ଆବେଦନକାରୀ ଚାକିରି ଅପେକ୍ଷାରେ । 2016 ମସିହାରୁ ଆବେଦନକାରୀ ନିଯୁକ୍ତି ପାଇବା ପାଇଁ ଆବେଦନ କରିଥିବାବେଳେ ଆଜି ପର୍ଯ୍ୟନ୍ତ ଖୋଲୁନି ଶିକ୍ଷା ବିଭାଗର ଘୋଷଣା ପତ୍ର । ଫଳରେ ତିନି ବର୍ଷ ହେବ ଚାହିଁ ରହିଛନ୍ତି ଆଶାୟୀ ।