ବରଗଡ଼: ଡିସେମ୍ବର 31 ତାରିଖରୁ ଜାନୁଆରୀ 10 ତାରିଖ ପର୍ଯ୍ୟନ୍ତ ବରଗଡ଼ର 71ତମ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହେବ । ତେବେ ସୋମବାର ଗୋପପୁରରେ ଶୁଭସ୍ଥମ୍ଭ ସ୍ଥାପିତ ହୋଇଯାଇଛି । କିଛି ଦିନ ପୂର୍ବରୁ ମଥୁରା ନଗରୀରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିବା ବେଳେ ଗୋପପୁରରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଶୁଭସ୍ତମ୍ଭ ସ୍ଥାପିତ ହୋଇଛି ।
ସମଲେଶ୍ଵରୀ ମନ୍ଦିର ଠାରେ ପରମ୍ପରା ଅନୁଯାୟୀ ପୂଜାପାଠ କରିବା ପରେ କୃଷ୍ଣ ଓ ବଳରାମଙ୍କୁ ବରଣ କରାଯାଇ ସାଂସ୍କୃତିକ ଶୋଭାଯାତ୍ରା ସହିତ ସ୍ଥାନୀୟ ଜୀରା ନଦୀ କୂଳରେ ରହିଥିବା କଦମ୍ବ ବନ ନିକଟକୁ ନିଆଯାଇଥିଲା । ଧନୁଯାତ୍ରାରେ ଯମୁନା ନଦୀ ପାଲଟୁଥିବା ଜିରା ନଦୀ କୂଳର କଦମ୍ବ ବୃକ୍ଷରେ ଧାର୍ଯ୍ୟ ଲଗ୍ନ ସମୟରେ ପୂଜାର୍ଚନା କରାଯାଇଥିଲା ଏବଂ ଶୁଭଧ୍ଵଜା ଲଗାଯାଇଥିଲା । ବରଗଡ଼ ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସନା ପୂଜାର କର୍ତ୍ତା ହୋଇଥିବା ବେଳେ ଗୋପପୁର କମିଟି ଓ ମଥୁରା କମିଟିର ବିଭିନ୍ନ ସଦସ୍ୟ ଓ ବହୁ କଳାକାର ଏହି ଶୁଭସ୍ତମ୍ଭ ସ୍ଥାପନ ସମୟରେ ଉପସ୍ଥିତ ଥିଲେ ।