ବରଗଡ: ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ(Padmapur By-Poll) । ମତଦାନ ତାରିଖ ଯେତିକି ପାଖଉଛି ରାଜନୈତିକ ଉଷ୍ଣତା ସେତିକି ବଢିବାରେ ଲାଗିଛି । ହେଲେ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି କୌଣସି ରାଜନୈତିକ ଦଳ । ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବିଜେପି ଟିକେଟ୍ ଦେବ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ କଂଗ୍ରେସ ଓ ବିଜେଡିର ଏ ଯାଏଁ ପ୍ରାର୍ଥୀ ଚୟନ ଚୂଡାନ୍ତ ହୋଇପାରିନାହିଁ । କିନ୍ତୁ ଏସବୁ ଭିତରେ ଆରମ୍ଭ ହୋଇଛି ମିଶ୍ରଣ ପର୍ବ । ଉପନିର୍ବାଚନ ପୂର୍ବରୁ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି ।
ଧାମନଗରରେ ହାରିବା ପରେ ପଦ୍ମପୁର ପାଇଁ ପୁରା ଦମ୍ ଲଗାଇଛି ବିଜେଡି । ପ୍ରାର୍ଥୀ ଘୋଷଣା ନ ହେଉଣୁ ପ୍ରଚାର ପ୍ରସାର ପାଇଁ ପଦ୍ମପୁର ଓ ପାଇକମାଳ ଅଞ୍ଚଳକୁ ହେଭିୱେଟ ନେତା ଓ ମନ୍ତ୍ରୀଙ୍କ ସୁଅ ଛୁଟୁଛି । ଶୁକ୍ରବାର ବିଜେଡି ପକ୍ଷରୁ ପାଇକମାଲ ଠାରେ ଏକ କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଶାସକ ଦଳରେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ଯୋଗ ଦେଇଥିବା କର୍ମୀଙ୍କ ମଧ୍ୟରେ ଅନେକ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ରହିଛନ୍ତି ।