ବରଗଡର: ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ କଂସ ଭାବେ ଅଭିନୟ କରିବେ ହୃଷିକେଶ ଭୋଇ । ଚଳିତ ବର୍ଷ ବରଗଡ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାର 75 ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ପାଳନ ହେବାକୁ ଯାଉଛି । ଉନ୍ନତ ଧରଣର କଳା ପ୍ରଦର୍ଶନ ନିମନ୍ତେ ଦକ୍ଷ କଳାକାର ଚୟନ ପାଇଁ ଚାଲିଥିଲା କଳାକାର ମାନଙ୍କର ଅଡିସନ । ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥିବା କଂସ ଭୂମିକାରେ ଅଭିନୟ ପାଇଁ 56 ଜଣ କଳାକାର ମାନଙ୍କର ଅଡିସନ ହୋଇଥିଲା । ସଭିଙ୍କୁ ପଛରେ ପକାଇ ହୃଷୀକେଶ ଭୋଇ କଂସ ଭାବେ ଚୟନ ହୋଇଛନ୍ତି ।
ହୃଷୀକେଶ ଭୋଇଙ୍କ ନିଆରା ଅଭିନୟ ପାଇଁ ବିଶ୍ଵ ଦରବାରେ କଂସ ଭୂମିକା ପାଇଁ ପୁଣି ଥରେ ସୁଯୋଗ ପାଇଛନ୍ତି । ଗତ ତିନି ଦିନ ଧରି ବରଗଡର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଚାଲିଥିବା ଧନୁଯାତ୍ରା ମହୋତ୍ସବ ପାଇଁ କଳାକାର ଅଡ଼ିସନରେ ମହାରାଜା କଂସ ଭୂମିକାରେ ହୃଷିକେଶ ଭୋଇ ଚୟନ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସହ ଆବାହକ ମିର୍ଧା ଟପ୍ପୋ ଘୋଷଣା କରିଛନ୍ତି । ଏନେଇ ହୃଷିକେଶ କହିଛନ୍ତି, "ଦୀର୍ଘ 75 ବର୍ଷ ପୂର୍ତ୍ତି ଅବସରରେ ଧନୁଯାତ୍ରାରେ ଉତ୍ତମ କଳା ପ୍ରଦର୍ଶନ ନିମନ୍ତେ କଳାକାର ପାଇଁ ଅଡିସନ ଚାଲିଥିଲା । ଯେଉଁଥିରେ ଚଳିତ ବର୍ଷ ମଧ୍ୟ କଂସ ଭୂମିକାରେ ଅଭିନୟ ପାଇଁ ମୋତେ ସୁଯୋଗ ମିଳିଛି । କୋରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଅଭିନୟ କରିବାକୁ ସୁଯୋଗ ପାଇନଥିଲି । ଚଳିତ ଥର ନୂଆ କଳାକାର ଚୟନ ହୋଇଥିବାରୁ ଯାତ୍ରାର ଅଭିନୟ ଭଲ ହେବାନେଇ ଆଶାବାଦୀ ରହିଛି ।"