ବରଗଡ: ତତଲା କଡେଇରେ ଭାଜି ହେଉଛି ଓଡ଼ିଶା । ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ଆଉ ବରଗଡରେ ଅବସ୍ଥା ଆହୁରି ଗମ୍ଭୀର। ଚଳିତ ଗ୍ରୀଷ୍ମ ଋତୁରେ ବରଗଡ ଜିଲ୍ଲାରେ ତାପମାତ୍ରା ରେକର୍ଡ ସୃଷ୍ଟି କରିଛି । ଗତ କିଛି ଦିନ ହେଲା ଜିଲ୍ଲାରେ ପାରଦ ପାଖାପାଖି ୪୦ ଡିଗ୍ରୀ ଉପରେ ପହଞ୍ଚିଛି । ସକାଳ ୯ ଟାରୁ ଘରୁ ବାହାରିବା କଷ୍ଟକର ହୋଇ ପଡୁଛି । ଝାଞ୍ଜି ପବନ ସହିତ ମୁଣ୍ଡଫଟା ଖରା ଲୋକଙ୍କୁ ଡହଳବିକଳ କରି ପକେଇଛି । ପ୍ରବଳ ଗରମ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ଲୋକଙ୍କ ଜୀବନ ।
ଖରା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଛତା, ଜୋତା, ଗାମୁଛା, ପାଣି ବୋତଲ ଧରି ଘରୁ ବାହାରୁ ଥିବା ବେଳେ ଅଂଶୁ ଘାତରୁ ରକ୍ଷା ପାଇବା ପାଇଁ ତରଭୁଜ, ଆଖୁ ରସ, ଲସି ସହ ଥଣ୍ଡା ପାନୀୟ ଦୋକାନ ମାନଙ୍କରେ ଲୋକଙ୍କ ଭିଡ଼ ଲାଗି ରହିଛି । ବରଗଡ଼ ଜିଲ୍ଲାରେ ପାରଦ ୪୫ ଡ଼ିଗ୍ରୀ ସେଲସିଅସ୍ କୁ ଛୁଇଁ ଥିବାବେଳେ ସକାଳ ୧୦ ଟାରୁ ରାସ୍ତା ଘାଟ ଶୂନଶାନ ଦେଖିବାକୁ ମିଳିଛି । ଗୋଟେ ପଟେ ପ୍ରବଳ ଗରମ ହେଉଥିବା ବେଳେ ଅନ୍ୟପଟେ ଚାଷୀମାନେ ଧାନ ବିଲ ସଜାଡିବାକୁ ବିଲରେ ନିଆଁ ଲଗାଇ ଦେଉଥିବା କାରଣରୁ ମଧ୍ୟ ଆଖପାଖ ଅଞ୍ଚଳରେ ଗରମର ମାତ୍ର ବଢିଯାଉଥିବା ପରିଲକ୍ଷିତ ହୋଇଛି ।
ତେବେ ଗ୍ରୀଷ୍ମ ପ୍ରବାହରେ ଲୋକଙ୍କ ହଇରାଣ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଖିଦୃଶିଆ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହୋଇଛି । କେବଳ ସତର୍କ ସୂଚନା ସହିତ ସଚେତନତା କରି ଜିଲ୍ଲାପ୍ରଶାସନ ନିଜର ଦାୟିତ୍ଵ ସମ୍ପାଦନ କରିଦେଇଥିବା ଅଭିଯୋଗ ଆଣିଛନ୍ତି ଲୋକେ । ଅନ୍ୟ ବର୍ଷ ମାନଙ୍କରେ ଯେପରି ପୌର ପରିଷଦ ପକ୍ଷରୁ ସହରରେ ଅନେକ ଗୁଡିଏ ଜଳଛତ୍ର ଗ୍ରୀଷ୍ମ ପୂର୍ବରୁ କରାଯାଇଥାଏ ଚଳିତ ବର୍ଷ ସେସବୁ ଆଦୌ ଦେଖାଯାଉ ନାହିଁ । ବରଗଡ ଟାଉନରେ କାଁ ଭାଁ କେଉଁଠି କେମିତି ଦେଖାଯାଉଛି ଜଳଛତ୍ର । ଅନ୍ୟପଟେ ଜିଲ୍ଲା ପ୍ରଶାସନର ଅବହେଳା କାରଣରୁ ରାସ୍ତାର ପ୍ରଶସ୍ତିକରଣ ପାଇଁ ହଜାର ହଜାର ବୃକ୍ଷ କଟାଯାଉଥିଲେ ମଧ୍ୟ ନୂତନ ବୃକ୍ଷ ରୋପଣ ଉପରେ ଆଦୌ ଗୁରୁତ୍ଵ ଦିଆଯାଉନାହିଁ । ଯାହାଫଳରେ ବରଗଡ ଜିଲ୍ଲାରେ ଚଳିତ ବର୍ଷ ପାରଦ ରାଜ୍ୟରେ ରେକର୍ଡ ସୃଷ୍ଟି କରିଛି । ଝାରସୁଗୁଡା ଓ ରାଉରକେଲା ପରି ଶିଳ୍ପନଗରୀ ଏବଂ ଟିଟିଲାଗଡ ଠାରୁ ମଧ୍ୟ ଅଧିକ ଟପିଗଲା ବରଗଡର ତାପମାତ୍ରା । ତେବେ ବରଗଡରେ ବିକାଶ ନାମରେ ଶହଶହ ବର୍ଷ ପୁରୁଣା ବିରାଟ ବିରାଟ ବୃକ୍ଷ କୁ କାଟି ଦିଆଯିବା ଏବଂ ନୂତନ ବୃକ୍ଷରୋପଣ କରାନଯିବା ର ପରିଣାମ ଆଜି ବରଗଡବାସୀ ଭୋଗୁଛନ୍ତି ।