ଓଡିଶା

odisha

ETV Bharat / state

ଅପହଞ୍ଚ ସରକାରୀ ଯୋଜନା, ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଭତ୍ତା

ଦିବ୍ୟାଙ୍ଗକୁ ମିଳୁନି ଦିବ୍ୟାଙ୍ଗ ଭତ୍ତା ବିଧବାଙ୍କୁ ମିଳୁନି ବିଧବା ଭତ୍ତା । ବାଟବଣା ହୋଇଛି ସରକାରୀ ଯୋଜନା । 10 ବର୍ଷ ଧରି ଭତ୍ତା ପାଇବା ଆଶାରେ ଦିବ୍ୟାଙ୍ଗ। ଅଧିକ ପଢ଼ନ୍ତୁ

By

Published : Jun 1, 2023, 10:44 PM IST

ବାଟବଣା ହୋଇଛି ସରକାରୀ ଯୋଜନା
ବାଟବଣା ହୋଇଛି ସରକାରୀ ଯୋଜନା

ବାଟବଣା ହୋଇଛି ସରକାରୀ ଯୋଜନା

ବରଗଡ:ଅପହଞ୍ଚ ଦୂରତାରେ ସରକାରୀ ଯୋଜନା । ଦିବ୍ୟାଙ୍ଗକୁ ମିଳୁନି ଦିବ୍ୟାଙ୍ଗ ଭତ୍ତା ବିଧବାଙ୍କୁ ମିଳୁନି ବିଧବା ଭତ୍ତା । ବାଟବଣା ହୋଇଛି ସରକାରୀ ଯୋଜନା । ଏଇଠି ଦିବ୍ୟାଙ୍ଗ ଓ ବିଧବାଙ୍କ ପାଇଁ ସାତସପନ ପାଲଟିଛି ସରକାରଙ୍କ ସାମାଜିକ ଯୋଜନା । ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ବରଗଡ ଭଟଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୋହେଲା ବ୍ଲକ୍‌ ଘେଁସ ଗ୍ରାମ ପଞ୍ଚାୟତର ବଡ଼ମାଲ ଗ୍ରାମରେ ।

ବଡ଼ମାଳ ଗ୍ରାମର ଏକ ଦଳିତ ପରିବାର, ଅଲେଖ ଦୀପ, ପତ୍ନୀ ଗୁଣବନ୍ତୀ ଦୀପ ଓ ପୁତ୍ର ବିଶ୍ବ ଦୀପ । ଗରୀବଖଟିଖିଆ ପରିବାରଟି ସରକାରୀ ସହାୟତାକୁ ଆଶା ନକରି ଦାଦନ ଶ୍ରମିକ ଯାଇ ଦୁଇପଇସା ରୋଜଗାର କରି ଠିକଠାକ୍ ହସଖୁସିରେ ଚାଲିଥିଲେ । ହଠାତ୍ ଦିନେ ଗୁଣବନ୍ତୀଙ୍କ ପୁଅ ୫ମ ଶ୍ରେଣୀରେ ପଢ଼ୁଥିବା ବିଶ୍ବ ଦୀପ ଗୋଡ଼ଖସି ତଳେ ପଡ଼ିଯାଇଥିଲେ । ଅନେକ ଚିକିତ୍ସା ପରେ ବି ଦୁଇଗୋଡ଼ କାମ କରିବା ବନ୍ଦ କରିଦେଲା ।

ଗୁଣବନ୍ତୀ ଦୀପ କହିଛନ୍ତି, "ବହୁଚେଷ୍ଟା ପରେ ଏଥିପାଇଁ ଦିବ୍ୟାଙ୍ଗ କାର୍ଡ଼ ଟିଏ ପାଇଥିଲୁ । ହେଲେ ସୁଦ୍ଧା ଆଜକୁ ୧୦ ବର୍ଷ ହେଲା ବିଶ୍ବକୁ ମିଳିପାରିନାହିଁ ଦିବ୍ୟାଙ୍ଗଭତ୍ତା । ଦଇବ ଦାଉ ସାଧିବା ଯୋଗକୁ ସ୍ବାମୀ ଅଲେଖ ଦୀପଙ୍କ ମଧ୍ଯ ଅକାଳରେ ବିୟୋଗ ଘଟିଥିଲା । ସ୍ବାମୀ ଚାଲିଯିବା ପରେ ଦିବ୍ୟାଙ୍ଗ ପୁଅକୁ ନେଇ କଷ୍ଟେମଷ୍ଟେ ପରିବାର ପୋଷଣ କରୁଛି । ନା ମିଳୁଛି ବିଧବା ଭତ୍ତା ନା ଦିବ୍ୟାଙ୍ଗ ଭତ୍ତା । ଗ୍ରାମ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ୍‌ ଅଫିସ, ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଏବଂ ରାଜନେତାଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ନିରାଶ ହୋଇଛି ।"

ଏହାକୁ ନେଇ ବିଡିଓ ବିଶ୍ୱରଞ୍ଜନ କର କହିଛନ୍ତି, "ବ୍ୟାଙ୍କ୍‌ ପାସବୁକ୍‌ ନଥିବା କାରଣରୁ ବିଶ୍ବଦୀପର ଭତ୍ତା ମିଳି ପାରୁ ନଥିଲା । ଆମେ ତାର ବ୍ୟାଙ୍କ ପାସ ବୁକ୍ କରି ତାକୁ ଭତ୍ତା ଯୋଗାଇ ଦେବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରାଯାଉଛି ।"

ଏଇଠି ପ୍ରଶ୍ନ ଉଠେ ଯେ ସରକାରଙ୍କ ମାଳମାଳ ସାମାଜିକ ଯୋଜନା କାହାପାଇଁ ? ବିକାଶର ଡିଣ୍ଡିମ ପିଟୁଥିବା ଏଇଠିକାର ନେତା ଓ ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ପାଇଁ ଅସହାୟ ଦିବ୍ୟାଙ୍ଗ ବିଶ୍ବ ଦୀପ ଓ ବିଧବା ମାଆ ଗୁଣବନ୍ତୀ ଦୀପଙ୍କ ଦୁର୍ଦ୍ଦଶା ବେଶ୍ ଦୟନୀୟ ହୋଇପଡ଼ିଛି । ସରକାରୀ ସହାୟତାର ଆଶାରେ ଅଫିସ ଅଫିସ ଦୌଡ଼ି ନିରାଶ ହୋଇ ଦୀର୍ଘ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ଯାଏଁ ମିଳିପାରି ନାହିଁ କୌଣସି ସରକାରୀ ସହାୟତା । ସରକାରଙ୍କ ଦୃଷ୍ଟି ତଥା ସରକାରୀ କର୍ମଚାରୀଙ୍କ ଉଦାସନତା କାରଣରୁ ଅନେକ ଯୋଗ୍ୟ ହିତାଧୀକାରୀ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details